ସିଲ୍‌ ହେଲା ଜନସେବା କେନ୍ଦ୍ର: ସୁଭଦ୍ରା ଯୋଜନା ଆବେଦନ ପାଇଁ ମାଗୁଥିଲେ ଟଙ୍କା

ଖୋର୍ଦ୍ଧା,୧୨।୯(ପ୍ରଭାତ ପାଣିଗ୍ରାହୀ): ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ପାଇଁ ହିତାଧିକାରୀଙ୍କଠାରୁ ଅର୍ଥ ଦାବି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲା ପ୍ରଶାସନ ଏକ ଜନସେବା କେନ୍ଦ୍ରକୁ ସିଲ୍‌ କରି ଦେଇଛି । ପୌରାଞ୍ଚଳର ମୁକୁନ୍ଦପ୍ରସାଦ ଠାରେ ଥିବା ଏକ ଜନସେବା କେନ୍ଦ୍ର ହିତାଧିକାରୀଙ୍କଠାରୁ ଅର୍ଥ ଦାବି କରାଯାଉଥିବା ନେଇ ଅଭିଯୋଗ ମିଳିଥିଲା ।

ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ପୌରପରିଷଦ ବିଭାଗୀୟ ଅଧିକାରୀ ଏବଂ ଟାଉନ୍‌ ଥାନା ପୋଲିସ ସେଠାରେ ପହଞ୍ଚି ସେହି ଜନସେବା କେନ୍ଦ୍ରଟିକୁ ସିଲ୍‌ କରିଦେଇଛି। ଏଥିସହିତ ପ୍ରୋପାଇଟରଙ୍କୁ ଶିଳ୍ପାଂଚଳ ପୋଲିସ ଅଟକ ରଖିଛି।

ପୌର ନିର୍ବାଚନ ଅଧିକାରୀ ରିଜୱାନା କଅକବ, ଶିଳ୍ପାଂଚଳ ଥାନାଧିକାରୀ ଗାୟତ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ତାଙ୍କ କେନ୍ଦ୍ର କୁ ଜଉମୁଦ ଦେଇ ସିଲ୍‌ କରିଥିବା ବେଳେ ପ୍ରୋପାଇଟରଙ୍କୁ ପୋଲିସ ଉଠାଇ ନେଇଛି। ସୁଭଦ୍ରା ଯୋଜନାରେ ଜନସେବା କେନ୍ଦ୍ରରେ ଇ-କେୱାଇସି ପାଇଁ ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।

ଟଙ୍କା ମାଗୁଥିବା ପ୍ରୋପାଇଟରଙ୍କୁ ଗିରଫ କରାଯିବ ବୋଲି କହିଥିଲେ। ମୁକୁନ୍ଦପ୍ରସାଦ ସ୍ଥିତ ସଂପୃକ୍ତ ଜନସେବା କେନ୍ଦ୍ର ପ୍ରୋପାଇଟର ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ନେଇ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପୌର କାର୍ଯ୍ଯନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

Share