ଫରେଷ୍ଟ ଅଫିସର ଭାବେ ଚାକିରି କରାଇ ଦେବାକୁ କହି…

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ଥାନା ପୋଲିସ ଚାକିରି ଆଳରେ ଠକେଇ କରୁଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ, ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମର ଗୌର ବାରିକ(୩୦)। ତାଙ୍କ ବିରୋଧରେ ଭଟଲି ଥାନାରେ ଏକ ମାମଲା (ନଂ. ୨୩୯/୨୪) ରୁଜୁ ହୋଇଛି। ଶନିବାର ତାଙ୍କୁ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ବାଇକ୍‌ ନଂ. ଓଡ଼ି୩୧ଇ ୧୬୫୬, ଏଟିଏମ କାର୍ଡ଼, ନଗଦ ୪୮ହଜାର ୮୯୦ ଟଙ୍କା, ମୋବାଇଲ, ବନ ବିଭାଗର ନକଲି ଷ୍ଟାମ୍ପ, କ୍ୟାପ, ଷ୍ଟାର୍‌, ବ୍ୟାଜ୍‌ ଆଦି ଜବତ ହୋଇଛି।
ପ୍ରକାଶ ଯେ, ଗିରଫ ଅଭିଯୁକ୍ତ ଗୌର ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ସାନଅମଲିପାଲି ଗ୍ରାମର ଆଶିଷ ବାରିକଙ୍କୁ ଫରେଷ୍ଟ ଅଫିସର ଭାବେ ଚାକିରି କରାଇ ଦେବାକୁ କହି ତାଙ୍କଠାରୁ ୪୮ହଜାର ଟଙ୍କା ନେଇଥିଲେ। ଏହା ସହିତ ଆଶିଷଙ୍କୁ ଫରେଷ୍ଟ ବିଭାଗର ୟୁନିଫର୍ମ ଏବଂ ନକଲି ନିଯୁକ୍ତିପତ୍ର ଦେଇଥିଲେ। ଏ ନେଇ ଆଶିଷ ଭଟଲି ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତିକରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଅଭିଯୁକ୍ତ ଗୌର ଜଣେ ପେଶାଦାର ଠକ ଏବଂ ପୂର୍ବରୁ ମଧ୍ୟ ଏଭଳି ଠକେଇ କରି ଆସିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
ଏହା ପୂର୍ବରୁ ସେ ବରଗଡ଼ ସଦର ଥାନା ଅଞ୍ଚଳରେ ଏଭଳି ଠକେଇ କରିଥିଲେ। ସଦର ଥାନା ପୋଲିସ ତାଙ୍କ ବିରୋଧରେ ଏକ ମାମଲା ନଂ.୨୬୭/୨୦୨୩ ରୁଜୁ କରି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କୋର୍ଟରୁ ସେ ଜେଲ ହାଜତକୁ ଯାଇଥିଲେ। ମାତ୍ର ଜାମିନରେ ଆସିବା ପରେ ଅଭିଯୁକ୍ତ ପୁଣି ବରଗଡ଼ ଓ ବଲାଙ୍ଗୀର ଜିଲାରେ ଏଭଳି ଠକେଇ କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏଭଳି ଚାକିରି କରାଇଦେବା ଆଳରେ ସେ ବର୍ତ୍ତମାନ ସୁଦ୍ଧା ଅନ୍ୟ ୨ଜଣଙ୍କଠାରୁ ୧ଲକ୍ଷ ୯୫ହଜାର ଏବଂ ସୋନପୁର ଜିଲାର ଜଣଙ୍କଠାରୁ ୨୨ହଜାର ଟଙ୍କା ଠକି ନେଇଛନ୍ତି। ସେ ଦିଗରେ ଅଧିକ ତଦନ୍ତ ଚାଲୁଛି ବୋଲି ପୋଲିସ ସୂଚନା ଦେଇଛି।