ପିଅନଙ୍କଠାରୁ ଲାଞ୍ଚ ନେଇ ଏଏସ୍‌ଓ ଗିରଫ

ଭୁବନେଶ୍ୱର,୧୩।୯(ସତ୍ୟଜିତ୍‌ ରାଉତ): ନିଜ ବିଭାଗର ଜଣେ ପିଅନଙ୍କଠାରୁ ୫ ହଜାର ଲାଞ୍ଚ ନେଇ ଆସିଷ୍ଟାଣ୍ଟ୍‌ ସେକ୍ସନ୍‌ ଅଫିସର (ଏଏସ୍‌ଓ) ମଙ୍ଗଳବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ଜଳ ସମ୍ପଦ ବିଭାଗର ଭୁବନେଶ୍ୱର ଡ୍ରେନେଜ୍‌ ସର୍କଲ ଅତିରିକ୍ତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଏସ୍‌ଓ ସୌମ୍ୟରଞ୍ଜନ ଦାସ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ସୌମ୍ୟରଞ୍ଜନଙ୍କ ବିରୋଧରେ ଏକ ମାମଲା (ନଂ.୨୩/୨୦୨୩) ରୁଜୁ କରାଯାଇଛି। ବୁଧବାର ତାଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଜଳ ସମ୍ପଦ ବିଭାଗର ଭୁବନେଶ୍ୱର ଡ୍ରେନେଜ୍‌ ସର୍କଲ ଅତିରିକ୍ତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ପିଅନ କୌସ୍ତବ କୁମାର ସେନାପତି ବିଭାଗ ମାଧ୍ୟମରେ ଏକ ଗୃହ ଋଣ ପାଇବାକୁ ଆବେଦନ କରିଥିଲେ। ଏହି ଲୋନ୍‌ ଫାଇଲ୍‌ର ପ୍ରକ୍ରିୟାକରଣ ପାଇଁ ଏଏସ୍‌ଓ ସୋମ୍ୟରଞ୍ଜନ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ କୌସ୍ତବ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବପ୍ରସ୍ତୁତି ଅନୁଯାୟୀ କୌସ୍ତବଙ୍କଠାରୁ ନିଜ ଅଫିସ୍‌ କୋଠରିରେ ସୌମ୍ୟରଞ୍ଜନ ଲାଞ୍ଚ ଟଙ୍କା ଗ୍ରହଣ କରିବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ଏହାପରେ ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଦିଗକୁ ନେଇ ସୌମ୍ୟ ରଞ୍ଜନଙ୍କ ୟୁନିଟ-୯ସ୍ଥିତ ସରକାରୀ ବାସଭବନ ଓ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଡେମାଳସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଏହି ମାମଲା ସଂକ୍ରାନ୍ତରେ ସୌମ୍ୟରଞ୍ଜନଙ୍କୁ ଅଧିକ ପଚରାଉଚରା କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Share