ଏଏସ୍‌ଓ: ମାଡ଼ଖାଇ ବଦଳି

ଭୁବନେଶ୍ୱର,୧୬ା୭(ଅସମାପିକା ସାହୁ): ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଅଭିଯୋଗ କରିଥିବା ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ସଂସଦୀୟ ବ୍ୟାପାର ବିଭାଗର ଏଏସ୍‌ଓ ବୈକୁଣ୍ଠନାଥ ରାଜ୍ୟପାଳଙ୍କ ସେକ୍ରେଟେରିଏଟରେ ନିୟୋଜିତ ଥିବାବେଳେ ତାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି। ଏନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଗତ ୭ ଓ ୮ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ସମୟରେ ତାଙ୍କର ରାଜଭବନ ରହଣିର ପ୍ରସ୍ତୁତି ତଦାରଖ ପାଇଁ ବୈକୁଣ୍ଠନାଥ ପୁରୀ ରାଜଭବନର ଇନ୍‌ଚାର୍ଜ ଭାବେ ଗତ ୫ତାରିଖରୁ ସେଠାରେ ରହିଥିଲେ। ୭ତାରିଖ ବିଳମ୍ବିତ ରାତ୍ରିରେ ଲଳିତ ନିଜର ୫ଜଣ ସହଯୋଗୀଙ୍କ ସହ ମିଶି ବୈକୁଣ୍ଠନାଥଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ବୈକୁଣ୍ଠନାଥ ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଗତ ୮ତାରିଖ ଅପରାହ୍ନ ସାଢ଼େ ୪ଟାରେ ମୌଖିକ ଅବଗତ କରି ନ୍ୟାୟ ପାଇଁ ଗୁହାରି କରିଥିଲେ। କିନ୍ତୁ କିଛି ସୁଫଳ ନ ମିଳିବାରୁ ୧୦ତାରିଖରେ ପୁଣିଥରେ ବୈକୁଣ୍ଠନାଥ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଏହି ଘଟଣା ରାଜ୍ୟରେ ଚହଳ ପକାଇଥିଲା। ବିଭିନ୍ନ ମହଲରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଥିଲା। ଏପରିକି ୧୨ତାରିଖ ଦିନ ବୈକୁଣ୍ଠନାଥଙ୍କ ସ୍ତ୍ରୀ ନିଜେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଥିଲେ। ୧୩ତାରିଖ ଦିନ ରାଜ୍ୟପାଳ ନିଜେ ବୈକୁଣ୍ଠନାଥ ଏବଂ ତାଙ୍କ ସ୍ତ୍ରୀଙ୍କୁ ଡାକି ଆଲୋଚନା କରିଥିଲେ। ୭ଦିନ ମଧ୍ୟରେ ନ୍ୟାୟ ମିଳିବ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା ବୈକୁଣ୍ଠନାଥଙ୍କ ସ୍ତ୍ରୀ କହିଥିଲେ। କିନ୍ତୁ ଏବେ ନ୍ୟାୟ ମିଳିବା ପରିବର୍ତ୍ତେ ବୈକୁଣ୍ଠନାଥଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି।

Share