ହାଇକୋର୍ଟରେ ଏଏସ୍‌ଓ ପରୀକ୍ଷା ଅନିୟମିତତା ମାମଲା:ରିଭ୍ୟୁ, ରିଟ୍‌ ପିଟିଶନ ଖାରଜ: କାଏମ ରହିଲା ପୂର୍ବ ନିର୍ଦ୍ଦେଶ

କଟକ,୧ା୮ (କାର୍ତ୍ତିକ ସାହୁ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା ଅନିୟମିତତା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ହାଇକୋର୍ଟ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ପୂର୍ବ ରାୟକୁ କାଏମ ରଖିଛନ୍ତି। ଏଥିସହ ପୂର୍ବ ରାୟର ପୁନର୍ବିଚାର ପାଇଁ ଦାଏର ହୋଇଥିବା ରିଭ୍ୟୁ ପିଟିଶନ ଓ ରିଟ୍‌ ପିଟିଶନ୍‌କୁ ଖାରଜ କରିଛନ୍ତି। ଫଳରେ ହାଇକୋର୍ଟଙ୍କ ଆଦେଶ ମୁତାବକ ଓପିଏସ୍‌ସି ସାନି ମେଧା ତାଲିକା ପ୍ରକାଶ କରିବା ସ୍ପଷ୍ଟ ହୋଇଛି।
ପ୍ରକାଶ ଯେ, ଓପିଏସ୍‌ସି ପକ୍ଷରୁ ପ୍ରକାଶିତ ଏଏସ୍‌ଓ ପରୀକ୍ଷାର ମେରିଟ୍‌ ଲିଷ୍ଟକୁ ନେଇ ହାଇକୋର୍ଟରେ ରିଟ୍‌ ଓ ରିଭ୍ୟୁ ଭାବେ ଦୁଇଟି ପିଟିଶନ ଦାଖଲ କରାଯାଇଥିଲା। ଦୁଇଟିଯାକ ପିଟିଶନର ଏକାଠି ଶୁଣାଣି କରିବାକୁ ହାଇକୋର୍ଟ ଜୁନ୍‌ ୨୬ ତାରିଖ ଶୁଣାଣିରେ ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୧୩ରେ ଶୁଣାଣି ଶେଷ କରାଯାଇ ରାୟ ସଂରକ୍ଷିତ ରହିଥିଲା। ଏଏସ୍‌ଓ ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ଖାରଜ କରି ସାନି ମେଧା ତାଲିକା ପ୍ରକାଶ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ନିଯୁକ୍ତି ନିୟମ ଅନୁସାରେ ଗ୍ରହଣୀୟ ନୁହେଁ। ଓଡ଼ିଶା ସେକ୍ରେଟାରିଏଟ୍‌ର ଏଏସ୍‌ଓ ନିଯୁକ୍ତି ପ୍ରଣାଳୀ ଓ ସର୍ଭିସ ସର୍ତ୍ତାବଳୀ, ୨୦୧୬କୁ ଉଲ୍ଲଂଘନ କରାଯାଇ ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରାଯାଉଛି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ୨୦୧୬ର ନିୟମ ପାଳନ କରି ସାନି ମେରିଟ୍‌ ଲିଷ୍ଟ ୨ ମାସ ଭିତରେ ପ୍ରକାଶ କରିବାକୁ କହିଥିଲେ। ଏଥିସହ ହାଇକୋର୍ଟଙ୍କ ବିନା ଅନୁମତିରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇ ପାରିବ ନାହିଁି ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଥିଲେ। ତେବେ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଜାରି ରହିବ ବୋଲି ହାଇକୋର୍ଟ କହିଥିଲେ। ଏନେଇ କେତେଜଣ ପରୀକ୍ଷାରେ ଏକ ରିଟ୍‌ ପିଟିଶନ୍‌ ଦାଖଲ କରି ଦର୍ଶାଇଥିଲେ ଯେ, ଏଏସ୍‌ଓ ପରୀକ୍ଷା ଅନିୟମିତତା ଯୋଗୁ ଆମେ ପ୍ରଭାବିତ ହୋଇଛୁ। ହାଇକୋର୍ଟ ଉକ୍ତ ମାମଲାରେ ଆମ୍ଭମାନଙ୍କ ଆବେଦନର ଶୁଣାଣି ନ କରି ରାୟ ପ୍ରକାଶ କରିଥିବାରୁ ଆମକୁ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଅନୁମତି ଦିଆଯାଉ ବୋଲି ରିଟ୍‌ ପିଟ୍‌ଶନ୍‌ ଜରିଆରେ ପ୍ରାର୍ଥନା କରିଥିଲେ। ଅପରପକ୍ଷରେ ପୂର୍ବ ମେରିଟ୍‌ ଲିଷ୍ଟରେ ସ୍ଥାନ ପାଇଥିବା ରୁକ୍‌ସାନାଆରା ବେଗମ୍‌ଙ୍କ ସମେତ ମୋଟ ୫ ଜଣ ପରୀକ୍ଷାର୍ଥୀଙ୍କ ପକ୍ଷରୁ ଦାଏର ରିଭ୍ୟୁ ପିଟିଶନକୁ ନେଇ ଜୁନ୍‌ ୨୨ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ୭୯୬ଟି ଏଏସ୍‌ଓ ପଦବୀ ପାଇଁ ୨୦୨୨ ଅଗଷ୍ଟ ୨୭ରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ ୧ଲକ୍ଷ ୪୮ହଜାର ୮୮୮ଜଣ ଆବେଦନକାରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୧୦୪ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ୨୦୨୨ ନଭେମ୍ବର ୭ରେ ଓପିଏସ୍‌ସି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ/ନଥିପତ୍ର ଯାଞ୍ଚ ଓ କମ୍ପ୍ୟୁଟର (ପ୍ରାକ୍ଟିକାଲ) ସ୍କିଲ ଟେଷ୍ଟ ପାଇଁ ଡକାଯାଇଥିଲା। ଆରମ୍ଭରୁ ବିବାଦରେ ରହିଥିବା ଏଏସ୍‌ଓ ପରୀକ୍ଷାକୁ ନେଇ କେତେଜଣ ପ୍ରାର୍ଥୀ ଧାରଣା ଦେଇଥିଲେ। ଏ ନେଇ ପୂର୍ବରୁ ହାଇକୋର୍ଟରେ ଏକାଧିକ ମାମଲା ଦାଏର ହୋଇଥିଲା।