ଏଏସ୍‌ଓ ପରୀକ୍ଷା ଅନିୟମିତତା ମାମଲା:ରହିତାଦେଶ ବଳବତ୍ତର

କଟକ,୧୦ା୧୦(କାର୍ତ୍ତିକ ସାହୁ):ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀର ଚୟନ ପରୀକ୍ଷା ଅନିୟମିତତା ମାମଲାରେ ଜଣିକିଆ ବିଚାରପତିଙ୍କ ରାୟ ଉପରେ ଜାରି ହୋଇଥିବା ରହିତାଦେଶକୁ ସୋମବାର ହାଇକୋର୍ଟ ବଳବତ୍ତର ରଖିଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍‌.ଏସ୍‌ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ସମସ୍ତ ମାମଲାର ଏକତ୍ର ଶୁଣାଣି ଦୁର୍ଗାପୂଜା ଛୁଟି ପରେ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)କୁ ପୂର୍ବ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପୁର୍ନବିଚାର ନିମନ୍ତେ କେତେଜଣ ପରୀକ୍ଷାର୍ଥୀ ଡିଭିଜନ ବେଞ୍ଚରେ ଆବେଦନ କରିଥିଲେ। ଆବେଦନକାରୀ କବିତା ଜେନା ଏବଂ ଅନ୍ୟ ଜଣଙ୍କ ପକ୍ଷରୁ ଏହି ମାମଲାରେ ଜଣିକିଆ ବିଚାରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଡିଭିଜନ ବେଞ୍ଚ ଏହାକୁ ଗ୍ରହଣ କରି ପ୍ରାଥମିକ ପର୍ଯ୍ୟାୟରେ ସ୍ଥଗିତାଦେଶ ଜାରି କରିଥିଲେ।
ସୂଚନା ଅନୁସାରେ, ୨୦୨୨ ଅଗଷ୍ଟ ୨୭ ତାରିଖରେ ୭୯୬ଟି ଏଏସ୍‌ଓ ପଦ ଲାଗି ଓପିଏସ୍‌ସି ପକ୍ଷରୁ ଲିଖିତ ପରୀକ୍ଷା କରାଯାଇଥିଲା। ମୋଟ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନକାରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧୦୪ ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ୨୦୨୨ ନଭେମ୍ବର ୭ରେ ଓପିଏସ୍‌ସି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ୍‌ ଯାଞ୍ଚ ଓ କମ୍ପ୍ୟୁଟର (ପ୍ରାକ୍ଟିକାଲ) ସ୍କିଲ ଟେଷ୍ଟ ପାଇଁ ଡକାଯାଇଥିଲା। ଆରମ୍ଭରୁ ବିବାଦରେ ରହିଥିବା ଏଏସ୍‌ଓ ପରୀକ୍ଷାକୁ ନେଇ କେତେଜଣ ପ୍ରାର୍ଥୀ ଧାରଣା ଦେଇଥିଲେ। ଏନେଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ପୂର୍ବ ମେଧା ତାଲିକା ଖାରଜ କରି ନୂତନ ମେଧା ତାଲିକା ପ୍ରସ୍ତୁତ କରିବାକୁ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୁଣି କେତେଜଣ ପରୀକ୍ଷାର୍ଥୀ ଏକ ରିଟ୍‌ ପିଟିଶନ୍‌ ଦାଖଲ କରି ଦର୍ଶାଇଥିଲେ ଯେ, ଏଏସ୍‌ଓ ପରୀକ୍ଷାରେ ଅନିୟମିତତା ଯୋଗୁ ସେମାନେ ପ୍ରଭାବିତ ହୋଇଛନ୍ତି। ହାଇକୋର୍ଟ ଉକ୍ତ ମାମଲାରେ ସେମାନଙ୍କ ଆବେଦନର ଶୁଣାଣି ନ କରି ରାୟ ପ୍ରକାଶ କରିଥିବାରୁ ସେମାନଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଅନୁମତି ଦିଆଯାଉ ବୋଲି ପ୍ରାର୍ଥନା କରିଥିଲେ। ଦୁଇଟିଯାକ ମାମଲାର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁଲାଇ ୩୧ରେ ହାଇକୋର୍ଟରେ ଉଭୟ ରିଟ୍‌ ପିଟିଶନ୍‌ ଓ ରିଭ୍ୟୁ ପିଟିଶନ୍‌ର ଏକତ୍ର ଶୁଣାଣି କରାଯାଇଥିଲା। ହାଇକୋର୍ଟ ପୂର୍ବ ନିର୍ଦ୍ଦେଶକୁ କାଏମ ରଖିବା ସହ ଦୁଇଟି ଯାକ ପିଟିଶନ୍‌କୁ ଖାରଜ କରିଦେଇଥିଲେ। ଏଏସ୍‌ଓ ନିଯୁକ୍ତି ନିମନ୍ତେ ଅନୁଷ୍ଠିତ ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ହୋଇଥିବା ମାମଲାର ଶୁଣାଣି ଗତ ମେ ୧୯ ତାରିଖରେ ହୋଇଥିଲା। ସେହି ଶୁଣାଣିରେ ହାଇକୋର୍ଟ ଏଏସ୍‌ଓ ନିଯୁକ୍ତି ନେଇ ଓପିଏସ୍‌ସି ଦ୍ୱାରା ପ୍ରକାଶିତ ମେଧା ତାଲିକାକୁ ଖାରଜ କରିଥିଲେ। ଏଥିସହ ଆଗାମୀ ୨ ମାସ ମଧ୍ୟରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଓପିଏସ୍‌ସି ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ କରିବାରୁ କେତେଜଣ ପରୀକ୍ଷାର୍ଥୀ ଓପିଏସ୍‌ସି ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।