ଆଶା ଆଶଙ୍କାରେ ଆଶାୟୀ

ଡ.ପ୍ରଫୁଲ୍ଲ କୁମାର ସାହୁ

 

ରାଜ୍ୟରେ କ୍ଷମତାସୀନ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ଏଥର ବୁଝାମଣାଭିତ୍ତିରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବୋଲି ଜୋର୍‌ ଧରିଛି ଚର୍ଚ୍ଚା। ଗଣତନ୍ତ୍ରରେ ଶାସକ ଦଳ ହେଉଛି ଏକ ମତ୍ତହସ୍ତୀ। ତାକୁ ଆୟତ୍ତ କରିବା ପାଇଁ ଯେଉଁ ଅଙ୍କୁଶ ଦରକାର, ତାହା ହେଉଛି ବିରୋଧୀ ଦଳର ସମାଲୋଚନା। ବିରୋଧୀ ଦଳର ସମାଲୋଚନା ଡରରେ କୌଣସି ଜନବିରୋଧୀ କାର୍ଯ୍ୟ କରିବାକୁ ସାହସ କରେନି ଶାସକଦଳ। କିନ୍ତୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଯଦି ଶାସକଦଳ ସହ ଭାଗୁଆଳି ହୋଇ କ୍ଷମତାର ମହୁ ଚାଖିବା ପାଇଁ ଚାହିଁବ, ତେବେ କିଏ ଖୋଜିବ ସରକାରଙ୍କ ଦୋଷତ୍ରୁଟି? ବିରୋଧୀ ଦଳ ନ ଥାଇ ସଂସଦୀୟ ଗଣତନ୍ତ୍ର ସଫଳ ହେବ କେମିତି? ସଂସଦରେ ଶାସକ ଓ ବିରୋଧୀ ଦଳର ଭୂମିକା ସମ୍ପୂର୍ଣ୍ଣ ଅଲଗା। ଏପରି ସ୍ଥଳେ ଦୁଇ ପକ୍ଷ ନିର୍ବାଚନରେ ମେଣ୍ଟ କରିବା ଅର୍ଥ ଦେଢଶୁର ଭାଇବୋହୂ ମଧ୍ୟରେ ପୀରତି । ଯୁକ୍ତି ଛଳରେ କୁହାଯାଇପାରେ ଯେ ରାଜ୍ୟରେ ବିଜେଡି-ଭାଜପାର ପୀରତି କିଛି ଆକସ୍ମିକ ନୁହେଁ, ବରଂ ଏ ସମ୍ପର୍କ ବେଶ୍‌ ପୁରୁଣା ଓ ଗହିରିଆ। ପ୍ରବାଦପୁରୁଷ ବିଜୁବାବୁଙ୍କ ଦେହାନ୍ତ ପରେ କେନ୍ଦ୍ରୀୟ ଭାଜପାର ଉଦ୍ୟମରେ ହିଁ ଜନ୍ମ ନେଇଥିଲା ବିଜେଡି। ମହାବାତ୍ୟା(୧୯୯୯)ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ(୨୦୦୦) ଉଭୟ ଦଳ ମେଣ୍ଟ କରି କଂଗ୍ରେସକୁ ହରାଇଲେ ଏବଂ ୨୦୦୯ ପର୍ଯ୍ୟନ୍ତ କ୍ଷମତା ଉପଭୋଗ କଲେ ମିଳିତ ଭାବରେ। ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ଦ୍ଦିଷ୍ଟ କିଛି କାରଣରୁ ମେଣ୍ଟରେ ଫାଟ ସୃଷ୍ଟି ହେବାରୁ ଦୁଇଦଳ ନିଜ ନିଜ ଶକ୍ତିରେ ନିର୍ବାଚନ ଲଢିଲେ ଏବଂ ଏକୁଟିଆ କ୍ଷମତା ଦଖଲ କରିବାକୁ ସକ୍ଷମ ହେଲା ବିଜେଡି। ସେବେଠାରୁ ଦୁଇ ଦଳ ମଧ୍ୟରେ ଆଉ ମେଣ୍ଟ ହୋଇ ନ ଥିଲେ ମଧ୍ୟ ପରସ୍ପର ସମ୍ପର୍କ ଥିଲା ମଧୁର ଏବଂ ସ୍ବର ବି ଥିଲା ନରମ। ୨୦୧୯ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହେଲା ପରେ ଶାସକ ବିଜେଡି ପ୍ରତି ଭାଜପାର ସ୍ବର କିଛି ମାତ୍ରାରେ ଆକ୍ରମଣାତ୍ମକ ହେଲା ସତ, କିନ୍ତୁ ଅସଲ ବେଳେ ଉଭୟ ହାତ ଟେକିଲେ ଉଭୟଙ୍କ ସପକ୍ଷରେ। ବିଶେଷକରି ଦିଲ୍ଲୀରେ ଆବଶ୍ୟକ ବେଳେ ଅକୁଣ୍ଠ ସହଯୋଗ ଯୋଗାଇ ଚାଲିଲା ବିଜେଡି। ଦୁଇଦଳ ମଧ୍ୟରେ ସମ୍ପର୍କକୁ ଦେଖି ଲାଗୁଥିଲା-‘କାଉ କୋଇଲିର ଏକା ବର୍ଣ୍ଣ, ରାବନ୍ତି ଖାଲି ଭିନ୍ନ ଭିନ୍ନ’।
ଆଶ୍ଚର୍ଯ୍ୟର ବିଷୟ ଦୁଇ ଦଳ ପରସ୍ପର ପ୍ରତି ଏତେ କୋମଳ ମନୋଭାବ ପୋଷଣ କରିବା ସତ୍ତ୍ବେ ତୃଣମୂଳ ସ୍ତରର ରାଜନୀତି ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଉଭୟ ଦଳର କର୍ମୀଙ୍କ ଆଭିମୁଖ୍ୟ ଥିଲା ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ। ନିଜ ନିଜର ରାଜନୈତିକ କ୍ଷେତ୍ର ପ୍ରସ୍ତୁତ ପାଇଁ ନିଆଁରେ ଘିଅ ଢାଳୁଥିଲେ ଉଭୟ ଦଳର ଛାମୁଆ ନେତା। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କଲ୍ୟାଣକାରୀ ଯୋଜନାର ଶ୍ରେୟ ନେବା ପାଇଁ ଦୁଇଦଳ ମଧ୍ୟରେ ଚାଲୁଥିଲା କମର କଷାକଷି। ରାଜ୍ୟ ଦେଉ କି କେନ୍ଦ୍ର ଦେଉଛି- ଏହାକୁ ନେଇ ସ୍ଥାନୀୟ ନେତାଙ୍କ ଭିତରେ ଚାଲୁଥିଲା କାଦୁଅ ଫିଙ୍ଗାଫିଙ୍ଗି । ଲଢେଇ ପୂର୍ବରୁ ଷଣ୍ଢ ଛାଇ ପୋତାପୋତି ହେଲା ପରି ଦୁଇଦଳ ଭିତରେ ଚାଲିଥିବା ପାଗ ଭିଡ଼ାଭିଡ଼ି ଦେଖି ଲାଗୁଥିଲା ଏଥର ମଇଦାନରେ ଖୁବ ଜୋରଦାର ହେବ ଲଢ଼େଇ। ଆଶାୟୀ ପ୍ରାର୍ଥୀ ଓ କର୍ମୀଙ୍କ ଦ୍ବାରା କ୍ଷେତ୍ର ବି କର୍ଷଣ ସରିଥିଲା ଖୁବ୍‌ ବଢିଆ ଢଙ୍ଗରେ। ଯୁଦ୍ଧ ବିଗୁଲ ବାଜିବା ଆଗରୁ ଭିଡା ସରିଥିଲା ପାଗ। କିନ୍ତୁ ଯୁଦ୍ଧ ବଦଳରେ ଯେ ସନ୍ଧି ହେବ ଏକଥା ଜାଣିପାରି ନ ଥିଲେ କର୍ମୀ। ରଣରଙ୍କ ଦୁଇ ସେନାପତି ଯେ ଯୁଦ୍ଧ ପୂର୍ବରୁ ଅସ୍ତ୍ରଛାଡି ଏଭଳି ପାଣିଚିଆ ନିଷ୍ପତ୍ତି ନେବେ ତା’ର ଟେର ପାଇ ନ ଥିଲେ ପ୍ରତିପକ୍ଷ ବିରୋଧରେ ସିଂହରଡି ଛାଡୁଥିବା ଛାମୁଆ ନେତାମାନେ।
ମେଣ୍ଟର ଉଦ୍ଦେଶ୍ୟ ସେବା ହେଉ କି ସ୍ବାର୍ଥ ହେଉ ଏଥିରେ ଖୁବ୍‌ ଆଘାତପ୍ରାପ୍ତ ହୋଇଛି କର୍ମୀ। ଗାଁରେ କହନ୍ତି-‘ତେଲ ଓ ତେଲି ହୋଇଲେ ଏକା, ପିଡିଆ ଖଣ୍ଡକ ବାହାରେ ପକା।’ ଏବେ ସେଇ ଅବସ୍ଥା ହୋଇଛି କର୍ମୀର। କେହି ବୁଝିଲେନି ପରସ୍ପର ବିରୋଧରେ ପାଟିତୁଣ୍ଡ, ପିଟାପିଟି ଓ ଥାନା ପୋଲିସ ହୋଇ ଦୀର୍ଘଦିନ ଧରି ଯନ୍ତ୍ରଣା ଭୋଗୁଥିବା କର୍ମୀଙ୍କ ମନକଥା। ସୋସିଆଲ ମିଡିଆରେ ଅଜାଡି ହୋଇପଡୁଛି ତା’ର କ୍ଷୋଭ ଆଉ ଅବଶୋଷ। ମେଣ୍ଟ ନିଷ୍ପତ୍ତିକୁ ଆଦୌ ଗ୍ରହଣ କରି ପାରୁ ନ ଥିବା କର୍ମୀଟିର ଅନ୍ତତଃ ଏବେ ଏତିକି ଅଭିଜ୍ଞତା ହେଲା- ଉପରେ ରାଜନୀତି କରୁଥିବା ଲୋକ ଯେତିକି ଚତୁର, ତଳ ସ୍ତରରେ ସେମାନଙ୍କ ଜିନ୍ଦାବାଦ କରି ପରସ୍ପର ଭିତରେ ସମ୍ପର୍କ ଖରାପ କରୁଥିବା ଲୋକ ସେତିକି ବୋକା। କର୍ମୀଙ୍କ କଥା ଛାଡନ୍ତୁ ରାଜନୀତିରେ ସାମାନ୍ୟ ରୁଚି ରଖିଥିବା ଲୋକଙ୍କ ମନରେ ବି ପ୍ରଶ୍ନ-କାହା ବିରୋଧରେ ଏହି ମେଣ୍ଟ ? ସମସ୍ତେ ଜାଣନ୍ତି ଏବେ ଓଡ଼ିଶାରେ ଆଦୌ ଭଲ ନାହିଁ କଂଗ୍ରେସର ସ୍ଥିତି। କେହି କେହି କୁହାଳିଆ ନେତା ହୁଏତ ଆଗାମୀ ନିର୍ବାଚନରେ ତାଙ୍କ ଦଳ ଖୁବ୍‌ ଭଲ ପ୍ରଦର୍ଶନ କରିବ ବୋଲି ବାହୁସ୍ଫୋଟ ମାରିପାରନ୍ତି, କିନ୍ତୁ ଏଭଳି ମନ୍ତବ୍ୟର ବାସ୍ତବ ଆଧାର ହେଲା- ‘ସାହୁ କହିଛି, ପାଚିଲା ଧାନରେ ମଇ ଦେଉଛି’। କଂଗ୍ରେସ ଏତେ ଦୟନୀୟ ସ୍ଥିତିରେ ଥିବାବେଳେ ଆଉ କାହା ଭୟରେ ମେଣ୍ଟ? ଯଦି ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କାହିଁପାଇଁ ଧୋଇବା’ ନ୍ୟାୟରେ ମେଣ୍ଟ ହେଉଥାଏ ତେବେ ଧରିନେବାକୁ ହେବ ଯେ ଅନ୍ୟ କେହି ରାଜନୈତିକ ପ୍ରତିପକ୍ଷ ବିରୋଧରେ ନୁହେଁ, ବରଂ ଏ ମେଣ୍ଟ ସାଧାରଣ ଲୋକଙ୍କ ବିରୋଧରେ। ପ୍ରସଙ୍ଗ କ୍ରମେ ଆଉ ଯେଉଁ କଥାଟି ଯଥେଷ୍ଟ ଗୁରୁତ୍ୱ ବହନ କରେ ତାହା ହେଲା- ଶାସକଦଳ ଓ ମୁଖ୍ୟ ବିରୋଧୀ ଦଳ ମଧ୍ୟରେ ଯଦି ମେଣ୍ଟ କରିବାର ଥିଲା, ତେବେ ନିଜ ଢୋଲ ନିଜେ ପିଟିବାକୁ ଯାଇ ବିଜ୍ଞାପନ ବାବଦରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଗଲା କାହିଁକି ? ଯେଉଁଠି ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ହୋଇପାରୁନି, ସେଠାରେ ନିର୍ବାଚନକୁ ଆଖି ଆଗରେ ରଖି ବିକାଶକୁ ଏତେ ଜୋରରେ ଦୌଡେଇବାରେ କି ଲାଭ?
ରାଜନୀତିରେ ପଦକ୍ଷେପର ପ୍ରାୟତଃ ଦୁଇଟି ଦିଗ ଥାଏ -ଗୁଣ ଓ ଖୁଣ। ଏଭଳି ମେଣ୍ଟ ରାଜନୀତିର ଖୁଣ ତ ଅନେକ। କିନ୍ତୁ ଗୁଣ ବୋଲି ଯାହାକୁ କହିବା ସେ କଥାଟି ହେଲା- ଘର ପଛେ ପୋଡିଯାଉ, ଓଡ଼ଶ କେଞ୍ଚେ ପାଇବା ଦରକାର। ଆମ ଦେଶରେ ନିର୍ବାଚନ ଋତୁ ଆସିଲେ ପ୍ରାୟତଃ ସବୁ ଦଳ ପକ୍ଷରୁ ଆୟୋଜିତ ହୁଏ ମିଶ୍ରଣ ପର୍ବ। ଯେଉଁମାନେ ଅନ୍ୟ ଦଳରେ କୋଣଠେସା ହୋଇ ପଡିଥାନ୍ତି,ଟିକେଟ ପାଇବା ଆଶା ହରେଇ ଥାନ୍ତି କିମ୍ବା ଦୁର୍ନୀତିରେ ଛନ୍ଦିହୋଇ ନିରାପଦ ଆଶ୍ରା ଖୋଜୁଥାନ୍ତି,ସେମାନଙ୍କୁ ମିଳିଯାଏ ନୂଆ ଶିବିରରେ ଶରଣ ନେବାର ସୁଯୋଗ। ମଜାର କଥା ଏବେ ଅକଳରେ ପଡିଛନ୍ତି ସଦ୍ୟ ଶିବିର ପରିବର୍ତ୍ତନ କରିଥିବା କିଛି ଟିକେଟ ଆଶାୟୀ। କାରଣ ଏମାନେ ରଙ୍ଗ ବଦଳେଇବାର କେଇ ଘଣ୍ଟା ମଧ୍ୟରେ ରଙ୍ଗ ବଦଳେଇଲା ନିଜେ ରାଜନୀତି। ସମ୍ପ୍ରତି ଏମାନଙ୍କର ଦୁର୍ଦ୍ଦଶା କଥା ଭାବିଲେ ମନେପଡ଼େ ‘ସୋଲେ’ ଚଳଚ୍ଚିତ୍ରର ସେହି ସ୍ମରଣୀୟ ସଂଳାପ-‘ତେରା କ୍ୟା ହୋଗାରେ କାଲିଆ’। କେବଳ ଦଳଡିଆଁ ନୁହନ୍ତି, ନୂଆ ସମୀକରଣ ନେଇ ଘର ସଜାଡୁଥିବା ନେତାଙ୍କ ମୁଣ୍ଡ ବି ଗୋଲ। କେଉଁ ଆଧାରରେ ଆସନ ବୁଝାମଣା ହେବ, ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଛି ଭିନ୍ନ ଭିନ୍ନ ଗଣିତ। ସେହି ଆଧାରରେ ମନକୁ ଛୁଇଁଲାଣି- ‘ମୁଁ ଯାହାକୁ ଆଖେଇ ଥିଲି,ଆଉ କିଏ ତାକୁ କାଖେଇଲାଣି’ର ଭୟ। କେଉଁ ଆସନ କାହା ଭାଗରେ ପଡିବ ତା’ର ପୂର୍ବାନୁମାନ କରି ହେଉ ନ ଥିବାରୁ ଆଶାୟୀଙ୍କ ଏଭଳି ଆଶଙ୍କା ସ୍ବାଭାବିକ। କାରଣ ଆସନ ବୁଝାମଣାର ସୂତ୍ରଟି ହେଉଛି ତେଲିଆ ମୁଣ୍ଡରେ ତେଲ। ଅର୍ଥାତ୍‌ ଆସନକୁ ନେଇ ନୁହେଁ, ପ୍ରାର୍ଥୀଙ୍କ ପତିଆରାକୁ ଦୃଷ୍ଟିରେ ରଖି ଚୂଡାନ୍ତ ହୁଏ ଭାଗବଣ୍ଟା। ଏହା ଦ୍ବାରା ତୃଣମୂଳ ସ୍ତରର ନେତା ବଳି ପଡନ୍ତି ଓ ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ଚମକି ଉଠେ କିଛି ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ। ଏହି ପରିପ୍ରେକ୍ଷୀରେ ଶେଷ କଥାଟି ହେଉଛି ପ୍ରକୃତ ଯୋଦ୍ଧା ପକ୍ଷରେ ବିଜୟ କିମ୍ବା ମୃତ୍ୟୁ ଶ୍ରେୟସ୍କର, କିନ୍ତୁ ସନ୍ଧି ନୁହେଁ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri