Categories: ଜାତୀୟ

ନେଶନାଲ ହାଇଓ୍ବେ କଡରୁ ମିଳିଲା ଭାଜପା ମହିଳା ନେତାଙ୍କ ମୃତ ଶରୀର

ଗୁଆହାଟି,୧୨।୬: ଆସାମ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ମହିଳା ନେତାଙ୍କୁ ହତ୍ୟା କରିବା ପରେ ଅଜ୍ଞାତ ବ୍ୟକ୍ତିମାନେ ତାଙ୍କ ମୃତଦେହକୁ ଗୋଲପାଡା ଜିଲ୍ଲାର ଜାତୀୟ ରାଜପଥ ୧୭ କଡରେ ପକାଇ ଦେଇଥିବା ସୂଚନା ମିଳିଛି। ସୋମବାର ଏହି ଘଟଣା ଘଟିଛି। ମୃତ ଭାଜପା ନେତା ଜିଲ୍ଲା ୟୁନିଟର ସଚିବ ଜୋନାଲି ନାଥ ବୋଲି ଜଣାପଡିଛି। ଜୋନାଲିଙ୍କ ମୃତଦେହ ଗୋଲପାଡା କୃଷ୍ଣାଇ ପୋଲିସ ଷ୍ଟେସନ ଅଧୀନରେ ଥିବା ସଲପାରାର ଥିବା ଜାତୀୟ ରାଜପଥରେ ମିଳିଥିଲା।
ମହିଳା ନେତାଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ପରେ ଜାତୀୟ ରାଜପଥରେ ପକାଇ ଦିଆଯାଇଥିବା ପୋଲିସ ସନ୍ଦେହ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଗୋଲପାଡାସ୍ଥିତ ଏକ ଡାକ୍ତରଖାନାକୁ ପଠାଯାଇଛି। ଏଥିସହ ଭାଜପାର ଆସାମ ୟୁନିଟ ରାଜ୍ୟ ପୋଲିସକୁ ଏହି ଘଟଣାର ସଠିକ ତଦନ୍ତ କରିବାକୁ ଅନୁରୋଧ କରିଛି। ଭାଜପା ବିଧାୟକ ତଥା ଦଳର ବରିଷ୍ଠ ନେତା ହେମଙ୍ଗା ଠାକୁରିଆ ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ ଯଦି ଏହା ହତ୍ୟା ମାମଲା, ତେବେ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ଉଚିତ।

Share