Categories: ଜାତୀୟ

ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ହିମନ୍ତ

ଗୁଆହାଟୀ,୨୮।୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପ ରାଜ୍ୟପାଳଙ୍କୁ ଗୁଆହାଟୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏପ୍ରିଲ ୧୪ରେ ଗୁଆହାଟୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ। ଏହି ଦିନ ଆସାମର ୧୧,୦୦୦ ନୃତ୍ୟଶିଳ୍ପୀ ବିହୁ ନୃତ୍ୟ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଚେଷ୍ଟା କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆସାମ ସରକାର ଆସନ୍ତା ମାସରେ ୧୧ହଜାର ପ୍ରତିଯୋଗୀଙ୍କୁ ନେଇ ଏକ ବିହୁ ନୃତ୍ୟ ପ୍ରଦର୍ଶନ ଆୟୋଜନ କରିବାକୁ ଯାଉଛନ୍ତି। ଲୋକ-ନୃତ୍ୟ ବର୍ଗର ଏକକ ସ୍ଥାନରେ ସର୍ବ ବୃହତ ନୃତ୍ୟ ପ୍ରଦର୍ଶନ ଭାବେ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଉଦ୍ୟମ କରିବେ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଏପ୍ରିଲ ୧୪ ଗୁଆହାଟୀର ଏକ ଷ୍ଟାଡିୟମରେ ଆୟୋଜିତ ହେବ। ଆସାମ ନୂତନ ବର୍ଷର ପ୍ରଥମ ଦିନରୁ ବୋହାଗ ବିହୁ ଉତ୍ସବ ଆରମ୍ଭ ହେବା ସହ ଏହା ୭ ଦିନ ଧରି ଚାଲିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଏବଂ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏଥିସହ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକର ଜି-୨୦ ପ୍ରତିନିଧୀ ମଧ୍ୟ ସାମିଲ ହେବେ।

Share