Categories: ଜାତୀୟ

ଭାଜପା ପ୍ରାର୍ଥୀଙ୍କ କାର୍‌ରେ ଇଭିଏମ୍‌ ମିଳିବା ଘଟଣା: ୪ ଅଫିସର ନିଲମ୍ବିତ

ଦିସପୁର,୨।୪: ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନର କିଛି ଘଣ୍ଟା ପରେ ଗୁରୁବାର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପଥରକଣ୍ଡିର ଭାଜପା ପ୍ରାର୍ଥୀ କୃଷ୍ଣେନ୍ଦୁ ପାଲଙ୍କ କାରରେ ଏକ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଦେଖାଯାଇଥିବା ଅଭିଯୋଗ ହୋଇଛି। ଏହି ଭିଡିଓକୁ ଆସାମର ଅତନୁ ଭୂୟାଁ ନାମକ ଜଣେ ଖବରଦାତା ଟୁଇଟ୍‌ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଏହି ଘଟଣା ପରେ ପଥରକଣ୍ଡିରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଭିଡିଓ ଆସିବା ପରେ ନିର୍ବାଚନ ଆୟୋଗ କଡ଼ା ପଦକ୍ଷେପ ଗ୍ରହଣ କରି ୪ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି। ସମ୍ପକୃ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ମଧ୍ୟ ଇସି ନିର୍ଦ୍ଦେଶ ଦେବାସହ ଜିଲା ନିର୍ବାଚନ ଅଧିକାରୀଙ୍କୁ ଏନେଇ ରିପୋର୍ଟ ତଲବ କରିଛନ୍ତି। ଯେଉଁ ବୋଲେରୋ ଗାଡିରୁ ଉଭିଏଲମ୍‌ ଜବତ ହୋଇଛି ସେ ଗାଡି କୃଷ୍ଣେୁନ୍ଦୁ ପାଲଙ୍କ ବୋଲି ଜଣାପଡିଛି। ପ୍ରାଥମିକ ରିପୋର୍ଟ ଅନୁସାରେ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ପୋଲିଂ ଗାଡି ଜିଲା ମୁଖ୍ୟାଳୟ ଯାଉଥିବା ବାଟରେ ଖରାପ ହୋଇଯାଇଥିଲା। ପରେ ନିର୍ବାଚନ ଅଧିକାରୀମାନେ ବାଟରେ ଏକ ଗାଡି ଲିଫ୍ସ ମାଗି ଜିଲା ମୁଖ୍ୟାଳୟରେ ପହଞ୍ଚାଇବା ପାଇଁ କହିଥିଲେ। ଲିଫ୍ଟ ମାଗିଥିବା ଗାଡିଟି କୃଷ୍ଣେୁନ୍ଦୁ ପାଲଙ୍କ ବୋଲି ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୭୭.୨୧ ପ୍ରତିଶତ ମତଦାନ ହୋଇଛି।

Share