Categories: ଜାତୀୟ

ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚିଲା

ଗୁଆହାଟୀ,୧୬।୬: ଆସାମର ଗୋଲପଡ଼ା ସହରରେ ଗୁରୁବାର ଭୂସ୍ଖଳନରେ ୨ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚିଛି।

ସୋମବାର ରାତିରୁ ଆସାମର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ଅନ୍ୟପକ୍ଷେ ମଙ୍ଗଳବାର ଗୁଆହାଟୀରେ ମାଟି ଅତଡ଼ା ଖସି ୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି।

ବର୍ଷା ଯୋଗୁ ରାଜ୍ୟର ୧୮ଟି ଜିଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଗତ ୭ ଦିନ ମଧ୍ୟରେ ଆସାମ ଏବଂ ମେଘାଳୟରେ ସ୍ବାଭାବିକଠାରୁ ୧୨୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆସି ଆସାମର ୮ ଜିଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୭୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Share