Categories: ଜାତୀୟ

ଆସାମ ବନ୍ୟା: ୫ ଲକ୍ଷ ଲୋକ ପ୍ରଭାବିତ, ୧୪,୦୦୦ ବାସହୀନ, ଜଣେ ମୃତ

ଗୁଆହାଟୀ,୨୩।୬: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ରାଜ୍ୟରେ ଲଗାତାର ବର୍ଷା ହେତୁ ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇରହିଛି। ଏହି କାରଣରୁ ପ୍ରାୟ ୫ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିସହ ଆସାମର ପ୍ରାୟ ୧୨ଟି ଜିଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା କୁହାଯାଉଛି। ଗତ ଦୁଇ ଦିନ ହେବ ଅବସ୍ଥା ଆହୁରି ବିଗିଡିଯାଇଛି, ଯେଉଁ କାରଣରୁ ୧୪,୦୦୦ରୁ ଅଧିକ ଲୋକ ନିଜ ଘର ଛାଡି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଏହା ବ୍ୟତୀତ ତମୁଲପୁର ଜିଲାରେ ବନ୍ୟା ହେତୁ ପ୍ରଥମ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

ଆସାମରେ ବନ୍ୟା ପ୍ରଭାବିତ ଅଞ୍ଚଳ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ କିଛି ଦିନ ମଧ୍ୟରେ ପ୍ରଭାବିତଙ୍କ ସଂଖ୍ୟା ୫ ଲକ୍ଷରେ ପହଞ୍ଚିଛି। ଜୁନ ୧୦ରେ ଯେତେବେଳେ ମୌସୁମୀ ଆସିଲା, ସେତେବେଳେ ସମୁଦାୟ ୩୪,୦୦୦ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ କେବଳ ଗୋଟିଏ ରିଲିଫ କ୍ୟାମ୍ପ କରାଯାଇଥିଲା। କିନ୍ତୁ ଏହା ପରେ ପରିସ୍ଥିତି ବିଗିଡିବାରେ ଲାଗିଲା। ଗତ ଦୁଇ ଦିନ ମଧ୍ୟରେ ବନ୍ୟା ପ୍ରଭାବିତ ଲୋକଙ୍କ ସଂଖ୍ୟାରେ ବହୁତ ବୃଦ୍ଧି ଘଟିଛି, ଯେଉଁ କାରଣରୁ ହଜାର ହଜାର ଲୋକଙ୍କୁ ରଖାଯାଉଥିବା ୧୧ ଟି ଜିଲାରେ ପ୍ରାୟ ୮୩ଟି ରିଲିଫ କ୍ୟାମ୍ପ କରାଯାଇଛି।

Share