Categories: ଜାତୀୟ

ଆସାମ-ତ୍ରିପୁରାରେ ବନ୍ୟା ବିତ୍ପାତ: ୫୫ଲୋକଙ୍କ ମୃତ୍ୟୁ, ୧୯ଲକ୍ଷ ପ୍ରଭାବିତ

ଡିସପୁର/ଅଗରତାଲା,୧୮।୬: ଆସାମ ଓ ତ୍ରିପୁରାରେ ବନ୍ୟା ବିତ୍ପାତ ଦେଖାଦେଇଛି। ଏହି ବନ୍ୟା ବିତ୍ପାତ ଯୋଗୁ ଏପର୍ଯ୍ୟନ୍ତ ୫୫ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମାଙ୍କୁ ଫୋନରେ ରାଜ୍ୟରେ ବର୍ତ୍ତମାନର ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ବନ୍ୟା ପ୍ରଭାବିତ ଲୋକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ନେଇ ମୋଦି ଚିନ୍ତା ପ୍ରକଟ କରିବା ସହ କେନ୍ଦ୍ର ପକ୍ଷରୁ ଯଥା ସମ୍ଭବ ସହାୟତା କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଆସାମର ୨୮ଟି ଜିଲାରେ ବନ୍ୟା ଯୋଗୁ ୧୮.୯୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ବର୍ତ୍ତମାନ ସୁଦ୍ଧା ୫୫ଜଣଙ୍କର ମୃତ୍ୟୁ ଘଟିଛି।
ଏତଦ୍‌ ବ୍ୟନୀତ ଆସାମର ହୋଜାଇ ଜିଲାରେ ବନ୍ୟା ପ୍ରଭାବିତ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଥିବା ବେଳେ ୩ଜଣ ପିଲା ନିଖୋଜ ଅଛନ୍ତି। ବାକି ଅନ୍ୟ ୨୧ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଶନିବାର ଏନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଅନ୍ୟପଟେ ପଶ୍ଚିମ ତ୍ରିପୁରା ଜିଲାରେ ପ୍ରବଳ ବର୍ଷା ହେତୁ ବନ୍ୟାରେ ୨ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ସେମାନେ ୨୦ଟି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇ ନ ଥିବା ନେଇ ଶନିବାର ଅଧିକାରୀମାନେ ସୂଚନା ଦେଇଛନ୍ତି।

Share