Categories: ଜାତୀୟ

ବନ୍ୟା ନେଲାଣି ୧୮ ଜୀବନ, ୮ଲକ୍ଷ ଲୋକ ପ୍ରଭାବିତ

ଗୁଆହାଟୀ,୨୨।୫: ବନ୍ୟା ଯୋଗୁ ଆସାମରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବନ୍ୟାରେ ରବିବାର ଆଉ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେହିପରି ବନ୍ୟା ଯୋଗୁ ୩୧ଟି ଜିଲା ପ୍ରଭାବିତ ହୋଇଥିବା ଆସାମ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବର୍ତ୍ତମାନ ବନ୍ୟା ଜଳ କମୁଥିବାରୁ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି ବୋଲି ଆସାମ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ନାଗାଓଁ ଜିଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ୮,୩୯,୬୯୧ ପ୍ରଭାବିତ ଲୋକଙ୍କୁ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି ବୋଲି ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଅବଗତ କରାଯାଇଛି।
ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆର୍ମି, ପାରାମିଲିଟାରି, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ର ପ୍ରଶିକ୍ଷିତ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ବନ୍ୟା ଯୋଗୁ ଲମଦିନ ଏବଂ ବଦରପୁର ହିଲ୍‌ ସେକ୍ସନର ବିଭିନ୍ନ ସ୍ଥାନରେ ପାଣି ଜମିବା ଏବଂ ମାଟି ଅତଡ଼ା ଧସିବାରୁ ସମ୍ପୃକ୍ତ ଅଞ୍ଚଳରେ ଟ୍ରେନ ସେବା ବାତିଲ କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସହାୟତା ପ୍ରଦାନ କରିବାକୁ ପ୍ରଭାବିତ ଅଞ୍ଚଳବାସୀ ଦାବି କରିଛନ୍ତି।

Share