ଗୁଆହାଟି,୧୯ ।୫: ଆସାମରେ ଆସିଥିବା ବନ୍ୟା ବେଳକୁ ବେଳ ଅଧିକ ସମସ୍ୟା ସୃଷ୍ଟି କରୁଛି । ଏବେ ଏହି ବନ୍ୟାରେ ପ୍ରାୟ ୨୭ ଜିଲାର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ୪୮ ହଜାରରୁ ଅଧିକ ଲୋକଙ୍କୁ ୨୪୮ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ହୋଜାଇ ଓ କାଚର ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଭାରତୀୟ ସେନା ପକ୍ଷରୁ ହୋଜାଇ ଜିଲାରୁ ୨ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।
ବନ୍ୟା ଓ ଭୂସ୍ଖଳନ ଫଳରେ ବରାକ ଘାଟି ରାଜ୍ୟର ଅନ୍ୟ ଅଞ୍ଚଳଠାରୁ ବିଚ୍ଛିନ୍ନ ହୋଇଯିବା ପରେ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଞ୍ଚଳିକ କମ୍ପାନୀ ଫ୍ଲାଇୱିଙ୍ଗ ସହ ଏକ ବୁଝାମଣାରେ ସରକାର ହସ୍ତାକ୍ଷର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶରମା ଏହି ସୂଚନା ଦେଇଛନ୍ତି ।