Categories: ଜାତୀୟ

ଅଭିଯୁକ୍ତଙ୍କ ଉପରେ ମାଡ଼ିଗଲା ପୋଲିସ ଗାଡ଼ି

ଗୁଆହାଟୀ,୩୧।୫: ଆସାମର ନାଗାଁଓରେ ଗତ ସପ୍ତାହରେ ହୋଇଥିବା ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଉପରେ ପୋଲିସ ଗାଡ଼ି ମାଡ଼ିଯାଇ ମୃତ୍ୟୁ ହୋଇଛି। ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ଆସିକୁଲ୍‌ ଇସ୍‌ଲାମଙ୍କୁ ଏକ କାର୍‌ରେ ଧରି ଅସ୍ତ୍ରଶସ୍ତ୍ର ଜବତ କରିବାକୁ ଯାଉଥିବାବେଳେ ସେ ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ। ଇସ୍‌ଲାମ କାର୍‌ରୁ ଡେଇଁ ପଡ଼ିବାରୁ ପଛରେ ଥିବା ଏସ୍‌କର୍ଟ ଯାନ ତାଙ୍କ ଉପରେ ମାଡ଼ିଯାଇଥିଲା ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ପୋଲିସ ତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ନାଗାଁଓର ବଟଭଦ୍ରା ଥାନାରେ ହାଜତରେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତ ୨୧ ତାରିଖରେ ଇସ୍‌ଲାମଙ୍କ ପ୍ରରୋଚନାରେ ଉତ୍ତ୍ୟକ୍ତ ଲୋକେ ଥାନା ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇଦେଇଥିଲେ। ରବିବାର ଇସ୍‌ଲାମଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତାଙ୍କୁ ଜେରା କରାଯାଇଥିଲା। ସେ ତାଙ୍କ ଘରେ ଅସ୍ତ୍ରଶସ୍ତ୍ର ରଖିଥିବା ସ୍ବୀକାର କରିବାରୁ ପୋଲିସ ତାଙ୍କୁ ସାଙ୍ଗରେ ନେଇ ସେଠାକୁ ଯାଉଥିବାବେଳେ ସେ ଖସିଯିବାକୁ ଉଦ୍ୟମ କଲାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନାଗାଁଓ ଏସ୍‌ପି ଲିନା ଡୋଲେ କହିଛନ୍ତି। ପୂର୍ବରୁ ପୋଲିସ ଥାନା ପୋଡ଼ିରେ ସମ୍ପୃକ୍ତ କେତେଜଣ ଅଭିଯୁକ୍ତଙ୍କ ଘର ଭାଙ୍ଗିଦେଇଥିଲା।

Share