ଗୁଆହାଟି,୨୨।୮ : ମିଜୋରାମ ଓ ଆସାମ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦ ଆହୁରି ଘନେଇଛି। ସୀମାକୁ ଲାଗିଥିବା ମିଜୋରାମର କୋଲାସିବ ଜିଲାରୁ ଆସାମ ପୋଲିସ ରଡ଼, ସିମେଣ୍ଟ ଭଳି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କଞ୍ଚାମାଲ ଚୋରି କରିଥିବା ଅଭିଯୋଗ ଆଣିଛି ମିଜୋରାମ। ଏ ସଂକ୍ରାନ୍ତରେ ବାଇରବି ଥାନାରେ ମାମଲା ରୁଜୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି।
ମିଜୋରାମର କୋଲାସିବ ଜିଲାର ଜୋଫାଇ ଅଞ୍ଚଳରେ ଚାଲିଥିବା ଏକ ପୋଲ ନିର୍ମାଣ କାର୍ଯ୍ୟରେ ଆସାମ ପୋଲିସ ବାଧା ଦେଉଛି। ନିର୍ମାଣ ସ୍ଥଳରେ ସେମାନେ ଶ୍ରମିକଙ୍କ ପାଇଁ ଅସୁବିଧା ଛିଡ଼ା କରୁଛନ୍ତି। ଏପରି କି ଲୁହା ରଡ୍ ଭଳି ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଚୋରି କରୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜିଲାର ଡେପୁଟି କମିଶନର ଏଚ୍ ଲାଲଥଲାଙ୍ଗଲିଆନା ତାଙ୍କ ପ୍ରତିପକ୍ଷ ଆସାମର ହାଇଲାକାଣ୍ଡି ଅଧିକାରୀ ରୋହନ ଝାଙ୍କୁ ଜଣାଇଛନ୍ତି।