Categories: ଜାତୀୟ

କୋଭିଡ୍‌ ନିୟମ ଭାଙ୍ଗିଲେ ଲାଗିବ ହତ୍ୟା ଉଦ୍ୟମ ଦଫା

ଗୁଆହାଟି, ୧୨ା୫ : ହିମନ୍ତ ବିଶ୍ୱା ଶର୍ମାଙ୍କ ନେତୃତ୍ୱାଧୀନ ଆସାମ ସରକାର ବୁଧବାର କଠୋର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଓ ସେମି ସହରାଞ୍ଚଳର ସମସ୍ତ କାର୍ଯ୍ୟାଳୟ, ଧାର୍ମିକ ସ୍ଥଳ ଓ ସପ୍ତାହିକ ହାଟକୁ ୧୫ ଦିନ ପାଇଁ ବନ୍ଦ କରବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍‌ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲୋକଙ୍କ ଚଳାଚଳ ଉପରେ ଲଗାଯାଇଛି ପ୍ରତିବନ୍ଧକ। କୋଭିଡ୍‌ କଟକଣା ନ ମାନିଲେ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ସମ୍ପୂର୍ଣ୍ଣ ଲକ୍‌ଡାଉନ ଏକ ବିକଳ୍ପ। ତାହାକୁ ଆମେ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରିବୁ। ଆମେ ଆଶା କରୁଛୁ, ଏହି ପଦକ୍ଷେପଗୁଡ଼ିକ ଫଳପ୍ରଦ ହେବ ବୋଲି ଖବରଦାତା ସମ୍ମିଳନୀରେ ମୁଖ୍ୟ ସଚିବ ଜିଷନୁ ବାରୁଆ କହିଛନ୍ତି। ଏହି କଟକଣା ଗୁରୁବାର ଠାରୁ କାର୍ଯ୍ୟକାରୀ ହେବ।

ଯଦି କୌଣସି ଅନୁମତି ପ୍ରାପ୍ତ ଦୋକାନରେ ଲୋକ ଅଧିକ ସଂଖ୍ୟାରେ ଏକତ୍ରିତ ହୁଅନ୍ତି, ତେବେ ପୋଲିସ ଲାଠି ଚାର୍ଜ ଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯଦି କୌଣସି ବ୍ୟକ୍ତି ଗୋପନରେ ଘରେ କୌଣସି ପ୍ରକାର ଉତ୍ସବ ଆୟୋଜନ କରନ୍ତି କିମ୍ବା ଲୋକଙ୍କୁ ଆମନ୍ତ୍ରଣ କରନ୍ତି, ତେବେ ଏହାକୁ ଠକାମି ଭାବେ ଗ୍ରହଣ କରାଯିବ। ତାଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଓ ହତ୍ୟା ଉଦ୍ୟମ ଦଫାରେ ମାମଲା ରୁଜୁ କରାଯିବ ବୋଲି ଡିଜିପି ଭାସ୍କର ଜ୍ୟୋତି ମହାନ୍ତା କହିଛନ୍ତି।

Share