Categories: ଜାତୀୟ

ଆସାମ ରାଇଫଲ୍ସ-ଉଗ୍ରବାଦୀ ମୁହାଁମୁହିଁ, ୨ ଯବାନ ଆହତ…

କୋହିମା, ୧୫।୮ : ସୋମବାର ସକାଳେ ନାଗାଲାଣ୍ଡର ମୋନ ଜିଲ୍ଲାରେ ସନ୍ଦିଗ୍ଧ ଏନଏସସିଏନ-କେଓ୍ବାଇଏ ଉଗ୍ରବାଦୀଙ୍କ ସହ ଆସାମ ରାଇଫଲ୍ସ ଯବାନ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଆସାମ ରାଇଫଲ୍ସର ୨ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଜୋରହାଟ ବାୟୁସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆସାମ ରାଇଫଲ୍ସ ଏକ ବିବୃତ୍ତିରେ କହିଛି ଯେ ଏହି ଏନକାଉଣ୍ଟରରେ କିଛି ଆତଙ୍କବାଦୀଙ୍କ ମୃତ୍ୟୁ ହେବାର ଅନୁମାନ କରାଯାଉଛି। ସର୍ଚ୍ଚ ଅପରେଶନ ଜାରି ରହିଛି।

ଏହାପୂର୍ବରୁ ଅଗଷ୍ଟ ୯ରେ, ଏନଏସସିଏନ-କେଓ୍ବାଇଏ ଏବଂ ଉଲଫା-୧ ର ସନ୍ଦିଗ୍ଧ ଉଭ୍ରବାଦୀମାନେ ପ୍ରାୟ ଏକ ସମୟରେ ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡର ଆସାମ ରାଇଫଲ୍ସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଭାରତ-ମ୍ୟାନମାର ସୀମାରେ ଥିବା ନାଗାଲାଣ୍ଡର ନୋକଲାକ ଜିଲାର ଦାନ ପାଙ୍ଗଶା ଅଞ୍ଚଳରେ ଆସାମ ରାଇଫଲ୍ସ ଯବାନଙ୍କୁ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। ଏହା ପରେ ଆସାମ ରାଇଫଲ୍ସ ଯବାନ ଏବଂ ସେହି ଅଞ୍ଚଳରେ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏଥିରେ ଉଭୟ ପକ୍ଷର କୌଣସି କ୍ଷୟକ୍ଷତି ହୋଇ ନଥିଲା।

ସେହି ଦିନ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲାର ଭାରତ-ମ୍ୟାନମାର ସୀମାରେ ଥିବା ପାଙ୍ଗସାଉ ପାସରେ ଉଗ୍ରବାଦୀମାନେ ଆସାମ ରାଇଫଲ୍ସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଆସାମ ରାଇଫଲ୍ସର ପାଟ୍ରୋଲିଂ ପାର୍ଟି ଉପରେ ଉଗ୍ରବାଦୀମାନେ ଗୁଳି ଚାଳନା କରିଥିଲେ। ତେଜପୁରର ପ୍ରତିରକ୍ଷା ମୁଖପାତ୍ର ଲ୍ୟୁଟନାଟ କର୍ନଲ ଏ.ଏସ୍‌. ୱାଲିଆ କହିଥିଲେ ଯେ ଭାରତ-ମ୍ୟାନମାର ସୀମାରେ ଉଗ୍ରବାଦୀ ଗୋଷ୍ଠୀ ଦ୍ୱାରା ଆସାମ ରାଇଫଲ୍ସ ଯବାନଙ୍କ ଉପରକୁ ଗୁଳି ଚଳାଇବା ଘଟଣା ତିରାପ ଏବଂ ଚାଙ୍ଗଲାଙ୍ଗ ଜିଲାର ଅଞ୍ଚଳରେ ଘଟିଥିଲା।

ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି ଯେ ଜଣେ ଜୁନିଅର କମିଶନ ଅଧିକାରୀଙ୍କ ହାତରେ ଆଘାତ ଲାଗିଛି। ଚାଙ୍ଗଲାଙ୍ଗ ଏସପି ମିହିନ ଗାମ୍ବୋ କହିଛନ୍ତି ଯେ ଏହି ଆକ୍ରମଣରେ କେଉଁ ବିଦ୍ରୋହୀ ଗୋଷ୍ଠୀଙ୍କର ସମ୍ପୃକ୍ତ ଅଛି ତାହା ତୁରନ୍ତ ଜଣା ପଡି ନାହିଁ।

Share