Categories: ଜାତୀୟ

ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ହଟାଇଲା ଏହି ରାଜ୍ୟ

ଗୌହାଟୀ,୭।୨: ଦୀର୍ଘ ଦୁଇ ବର୍ଷ ହେଲା କରୋନା ପାଇଁ ବିଭିନ୍ନ କଟକଣା ଲଗାଯାଉଛି। କେତେକ ରାଜ୍ୟରେ କଟକଣା କୋହଳ କରାଯାଇଛି, ଏହାରି ମଧ୍ୟରେ ପ୍ରଥମ ରାଜ୍ୟ ଭାବେ ଆସାମରୁ ଲାଗୁ ହୋଇଥିବା ସମସ୍ତ କରୋନା କଟକଣା ହଟିବାକୁ ଯାଉଛି। ଗତ ଦୁଇ ସପ୍ତାହ ଧରି ସଂକ୍ରମଣ ହାର କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଫେବୃଆରୀ ୧୫ ଠାରୁ କୌଣସି ପ୍ରକାରର କର୍ଫ୍ୟୁ କିମ୍ବା କଟକଣା ଲାଗୁ ହେବନି। ଏ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୋମବାର ଘୋଷଣା କରିଛନ୍ତି।
କରୋନା କଟକଣା ହଟିବା ପରେ ମଧ୍ୟ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ସ୍କୁଲ ବୋର୍ଡ ପରୀକ୍ଷା, ପୌରପାଳିକା ନିର୍ବାଚନ , ମଜଉଲି ବିଧାନସଭାର ଉପ ନିର୍ବାଚନ ଓ ଅନ୍ୟ ସମସ୍ତ କାର୍ଯ୍ୟ ଆସନ୍ତା ୨ ମାସ ମଧ୍ୟରେ ଅନୁଷ୍ଠିତ ହେବ। ଏହି ସମୟରେ କୌଣସି ପ୍ରକାରର କଟକଣା ରହିବ ନାହିଁ, ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ର ଡବଲ ଡୋଜ୍‌ ଟକା ନେଇଯିବା ପାଇଁ ସେ କହିଛନ୍ତି।
ମଲ ଓ ସିନେମା ହଲ ଗୁଡିକ ପୂର୍ଣ୍ଣ କ୍ଷମତାରେ ଚାଲିବ। ସେହିପରି ବିବାହକୁ ଅନୁମତି ଦିଆଯାଇଛି କିନ୍ତୁୁ ଏଠାକୁ ଆସୁଥିବା ଅତିଥିମାନେ ଡବଲ ଡୋଜ୍‌ ଟିକା ନେଇଥିବା ଆବଶ୍ୟକ। ଏହାବାଦ୍‌ ଆଉ କୌଣସି କରୋନା କଟକଣା ରାଜ୍ୟରେ ଲାଗୁ ହେବନି ବୋଲି ସେ କହିଛନ୍ତି।

Share