Categories: ଜାତୀୟ

ନିପାତ ହେଲେ ଆସାମର ବିରାପାନ

ଗୁଆହାଟୀ, ୧୧।୭: ଆସାମର ବିଦ୍ରୋହୀ ସଂଗଠନ ୟୁନାଇଟେଡ୍‌ ପିପୁଲ୍ସ ରିଭୋଲ୍ୟୁଶନାରୀ ଫ୍ରଣ୍ଟ (ୟୁପିଆରଏଫ୍‌)ର ମୁଖ୍ୟଙ୍କୁ ଶନିବାର ବିଳମ୍ବିତ ରାତିରେ କାର୍ବି ଆଙ୍ଗଲଙ୍ଗ ଜିଲାରେ ହତ୍ୟା କରାଯାଇଛି। କାଠ ଚୋରାଚାଲାଣ ପାଇଁ ଆସାମର ବିରାପାନ ଭାବେ ଜଣାଯାଉଥିବା ୟୁପିଆର୍‌ଏଫ୍‌ର ମୁଖ୍ୟ ମାନଗିନ ଖାଲହାଉଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଗତ କିଛି ବର୍ଷରେ ଏହି ସଂଗଠନର ଅନ୍ୟ ବରିଷ୍ଠ ସଦସ୍ୟ ପୋଲିସ ଆଗରେ ଆତ୍ମସମର୍ପଣ କରିଦେଇଥିଲେ।

ରବିବାର ରାତିରେ ଖେଙ୍ଗପିବଙ୍ଗର ପାହାଡ଼ିଆ ଅଞ୍ଚଳରେ ଆନ୍ତଃ ବିବାଦ ପାଇଁ ଗ୍ରୁପ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା। କାର୍ବି ଆଙ୍ଗଲଙ୍ଗ ଜିଲାର ମୁଖ୍ୟ କାର୍ଯ୍ୟାଳୟ ଦିପୁଠାରୁ ୫୬ କିମି ଦୂରରେ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମାନଗିନଙ୍କ ବେକରେ ଏକାଧିକ ଗୁଳି ବାଜିଥିଲା। ରବିବାର ସକାଳେ ତାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ କ୍ୟାଡରମାନେ ହିଁ ତାଙ୍କୁ ଗୁଳି କରିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଇଛି।

Share