ଆମେରିକାକୁ ପ୍ରତ୍ୟର୍ପିତ ହେବେ ଆସେଞ୍ଜ

ଲଣ୍ଡନ, ୨୧ା୪: ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ୍‌ର ଏକ କୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମାମଲାକୁ ବ୍ରିଟେନ୍‌ ଆଭ୍ୟନ୍ତରୀଣ ମନ୍ତ୍ରୀ ପ୍ରୀତି ପଟେଲ୍‌ଙ୍କ ନିକଟକୁ ପଠାଯିବ। ଜୁଲିଆନ୍‌ଙ୍କ ଓକିଲ ୪ ସପ୍ତାହରେ ଗୃହ ସଚିବ ପଟେଲଙ୍କ ନିକଟରେ ପକ୍ଷ ରଖିବା ସହ ବ୍ରିଟେନ ହାଇକୋର୍ଟରେ ଆବେଦନ କରିପାରିବେ। ୫୦ ବର୍ଷୀୟ ଅଷ୍ଟ୍ରେଲୀୟ ନାଗରିକ ଆସେଞ୍ଜଙ୍କ ବିରୋଧରେ ଆମେରିକାରେ ୧୮ ସଙ୍ଗିନ ମାମଲା ରହିଛି। ସେ ଆମେରିକାର ଗୋପନୀୟ ସେନା ଡକ୍ୟୁମେଣ୍ଟକୁ ଓ୍ବିକିଲିକ୍ସରେ ପ୍ରକାଶ କରିବା ସହ ସେଠାରେ ଗୁପ୍ତଚରଗିରି କରିଥିବା ଅଭିଯୋଗ ରହିଛି।
ବ୍ରିଟେନର ଏକ କୋର୍ଟ ଆମେରିକାର ପ୍ରତ୍ୟର୍ପଣ ଆବେଦନକୁ ଗତବର୍ଷ ଜାନୁୟାରୀ ୪ରେ ଖାରଜ କରିଥିଲେ। ଏହି ରାୟକୁ ଆମେରିକା ବ୍ରିଟେନ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଆମେରିକାର ଓକିଲ ଆସେଞ୍ଜଙ୍କ ବିରୋଧରେ ୧୭ ଗୁପ୍ତଚରଗିରି ମାମଲା ଏବଂ କମ୍ପ୍ୟୁଟର ଅପବ୍ୟବହାର କରି ଓ୍ବିକିଲିକ୍ସ ପବ୍ଲିକେଶନରେ ହଜାର ହଜାର ଗୋପନୀୟ ସେନା ତଥ୍ୟ ଓ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଡକ୍ୟୁମେଣ୍ଟକୁ ପ୍ରକାଶ କରିଥିବା ନେଇ ଆଉ ଏକ ମାମଲା ରହିଥିବା କୋର୍ଟରେ ଉପସ୍ଥାପନ କରିଥିଲେ। ଏ ସମସ୍ତ ଅଭିଯୋଗ ସତ ପ୍ରମାଣ ହେଲେ ଆସେଞ୍ଜଙ୍କୁ ସର୍ବାଧିକ ୧୭୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ।

 

Share