ମାରପିଟ ମାମଲା: ବଦଳିଲେ ଡାକ୍ତର, ଫାର୍ମାସିଷ୍ଟ

ଯାଜପୁରରୋଡ୍‌,୨୨ା୬(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  ଫାର୍ମାସିଷ୍ଟ ଓ ଡାକ୍ତରଙ୍କ ମଧ୍ୟରେ ହୋଇଥିବା ମାରପିଟ ଘଟଣା ପରେ ଉଭୟଙ୍କୁ ବଦଳି ନିର୍ଦ୍ଦେଶ ହୋଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାର ତଦନ୍ତ କରି ଦାନ୍ତ ଡାକ୍ତର ଶୁଭଲକ୍ଷ୍ମୀ ରଥଙ୍କୁ ଚିଠି ନଂ.୪୧୩୯/୨୦/୬/୨୪ରେ ଯାଜପୁର ଜିଲାର ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବଦଳି କରିଛନ୍ତି। ଡାକ୍ତର ଶୁଭଲକ୍ଷ୍ମୀ ଜଣେ ଶିଶୁର ଦାନ୍ତ ଚିକିତ୍ସା ପାଇଁ ଆନୁସଙ୍ଗିକ ଯନ୍ତ୍ର ପାତି ଥିବା ଡାକ୍ତର ପ୍ରକୋଷ୍ଠକୁ ଯାଇଥିଲେ। ଉକ୍ତ ପ୍ରକୋଷ୍ଠରେ ତାଲା ପଡିଥିବା ଦେଖି ସେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରିଥିଲେ।

ସ୍ବାସ୍ଥ୍ୟ ଅଧିକାରୀ ଡା. ସନ୍ତୋଷ କପୃଷ୍ଟି ଚାବି ଫାର୍ମାସିଷ୍ଟ ପ୍ରଜ୍ଞାପରମିତା ସାହୁଙ୍କ ନିକଟରେ ଥିବା ଏବଂ ତାଙ୍କଠାରୁ ମାଗି ଆଣିବାକୁ କହିଥିଲେ। ଡାକ୍ତର ରଥ ଫାର୍ମାସିଷ୍ଟଙ୍କ ପାଖକୁ ଯାଇ ଚାବି ମାଗିବାରୁ ସେ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ହାତକୁ ମୋଡି ଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ରୋଗୀଙ୍କ ଅଭିଭାବକ ଏହି ଘଟଣାର ଭିଡିଓ ଉତ୍ତୋଳନ କରି ଭାଇରଲ କରିଥିଲେ। ଏ ସମ୍ପର୍କରେ ଉଭୟେ ଯାଜପୁରରୋଡ଼ ଥାନାରେ ପୃଥକ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କ ଏତଲାକୁ ଭିତ୍ତିକରି ନଂ.୩୯୭/୨୪ ଓ ୩୯୮/୨୪ରେ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଏସ୍‌ଆଇ ଅନ୍ତର୍ଜାମୀ ଶ୍ରୀଚନ୍ଦନ କହିଛନ୍ତି।

ଏହି ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଭାଶିଷ ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି, ମହିଳା ଡାକ୍ତରଙ୍କ ନାମରେ ପୂର୍ବରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କାର୍ଯ୍ୟ କ୍ଷେତ୍ରରେ ଅବହେଳା ନେଇ ଅଭିଯୋଗ କରିଥିଲେ। ତେଣୁ ଏହି ଘଟଣା ପରେ ତାଙ୍କର ବଦଳି କରାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ମହିଳା ଫାର୍ମାସିଷ୍ଟଙ୍କ ମଧ୍ୟ ବଦଳି କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Share