ବିଦ୍ୟୁତ୍‌ କର୍ମଚାରୀଙ୍କୁ ଆକ୍ରମଣ

ଭବାନୀପାଟଣା,୩୧।୮(ଉତ୍ତମ କୁମାର ଦାଶ): ଟିପିଡବ୍ଲୁଓଡିଏଲ୍‌ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ନିୟମିତ ଭାବେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ତଥା ଆଖପାଖ ଅଞ୍ଚଳରେ ବେଆଇନ ବିଦ୍ୟୁତ୍‌ ବ୍ୟବହାର, ଲୋଡ୍‌ ନିରୀକ୍ଷଣ ପାଇଁ ଭିଜିଲାନ୍ସ ଯାଞ୍ଚ କରିବା ସହିତ ବହୁ ପରିମାଣର ବିଦ୍ୟୁତ୍‌ ବକେୟା ରଖିଥିବା ଖିଲାପି ଉପଭୋକ୍ତାଙ୍କୁ ନୋଟିସ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ୨୯ ତାରିଖରେ ଭବାନୀପାଟଣା ସହରସ୍ଥିତ ଅର୍କାବାହାଲିପଡାର କୈଳାସ ନାୟକଙ୍କ ଘରେ ଟିପିଡବ୍ଲୁଓଡିଏଲ ପ୍ରବର୍ତ୍ତନ ବିଭାଗର ପିଣ୍ଟୁ ବେହେରା ନିଜ ଟିମ୍‌ ସହିତ ଯାଞ୍ଚ କରିବାକୁ ଯାଇଥିଲେ। ସେଠାରେ ଯାଞ୍ଚ କାର୍ଯ୍ୟ ସାରି ରିର୍ପୋଟ ପ୍ରସ୍ତୁତ କରି ଯାଉଥିବା ସମୟରେ ଏଥିରେ ଉତକ୍ଷିପ୍ତ ହୋଇ ପ୍ରାୟ ୧୦ଜଣ ଲୋକଙ୍କ ସହ କୈଳାସ ପ୍ରବର୍ତ୍ତନ ବିଭାଗର ପିଣ୍ଟୁ ବେହେରା ଓ ରମେଶ ମୋହଲାଙ୍କୁ ଦୁବ୍ୟବହାର କରିବା ସହ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଉପରୋକ୍ତ ୨ଜଣ କର୍ମଚାରୀ ଆହତ ହୋଇଥିଲେ। ଏପରି କି ଠେଙ୍ଗା ମାଡ ଯୋଗୁ ତାଙ୍କ ପିଠିରେ ଚିହ୍ନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏନେଇ ଗୁରୁବାର ଟିପିଡବ୍ଲୁଓଡିଏଲ କର୍ପୋରେଟ କାର୍ଯ୍ୟାଳୟ ବୁର୍ଲା ପକ୍ଷରୁ ଏକ ପ୍ରେସ ରିଲିଜରୁ ଜଣାପଡିଛି। ଏ ନେଇ ଭବାନୀପାଟଣା ଟାଉନ ଥାନାରେ ପିଣ୍ଟୁ ବେହେରା ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ଏକ ମାମଲା (ନଂ.୨୯୫/୨୩) ରୁଜୁ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ନୋଟିସ ପଠାଇଥିବା ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ଠାରୁ ଜଣାପଡିଛି।