Categories: ଜାତୀୟ

ମଧ୍ୟପ୍ରଦେଶ-ଛତିଶଗଡ଼-ତେଲେଙ୍ଗାନା ବିଧାନସଭା ନିର୍ବାଚନ: ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୫।୧୦: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମଧ୍ୟପ୍ରଦେଶରେ ୧୪୪ ଜଣ, ଛତିଶଗଡରେ ୩୦ ଜଣ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୫୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତେବେ ପୂର୍ବରୁ ନବରାତ୍ର ଆରମ୍ଭର ପ୍ରଥମ ଦିନରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିବ ବୋଲି କଂଗ୍ରେସ ପୂର୍ବରୁ ସୂଚନା ଦେଇଥିଲା।

ମଧ୍ୟପ୍ରଦେଶ ବିଧାନସଭାରେ ୨୩୦ ଟି ବିଧାନସଭା ଆସନ ରହିଛି। କଂଗ୍ରେସର ତାଲିକା ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ତାଙ୍କ ବର୍ତ୍ତମାନର ଆସନ ଚିନ୍ଦୱାରାରୁ ନିର୍ବାଚନ ଲଢ଼ିବେ। ଏହାଛଡ଼ା ବିଧାନସଭାରେ ବିରୋଧୀ ଦଳର ନେତା ଗୋବିନ୍ଦ ସିଂଙ୍କୁ ଲାହରରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକା ଶେୟାର କରି ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ଏକ୍ସ(ପୂର୍ବରୁ ଟୁଇଟର)ରେ ଲେଖାଯାଇଛି ଯେ, ବହୁମତରେ ବିଜୟ ପାଇଁ ସମସ୍ତଙ୍କୁ ଅଗ୍ରିମ ଅଭିନନ୍ଦନ ଓ ଶୁଭେଚ୍ଛା। ବଢ଼ାନ୍ତୁ ହାତ, ପୁଣି କମଳନାଥ।’

ଛତିଶଗଡ ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ବର୍ତ୍ତମାନର ବିଧାନସଭା ଆସନ ପାଟନରୁ ଭାଗ୍ୟ ପରୀକ୍ଷା କରିବେ। ଏଥି ସହିତ ରାଜ୍ୟ ଡେପୁଟି ସିଏମ୍‌ ଟି ଏସ୍‌ ସିଂଦେବ ଅମ୍ବିକାପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଛତିଶଗଡରେ ୯୦ ଟି ବିଧାନସଭା ଆସନ ଅଛି। ସେହିଭଳି କଂଗ୍ରେସ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଭାପତି ଏ ରେଭାନ୍ତ ରେଡ୍ଡୀଙ୍କୁ କୋଡାଙ୍ଗାଲ ବିଧାନସଭା ଆସନରୁ ସ୍ଥାନ ଦେଇଛି। ତେଲେଙ୍ଗାନାରେ ୪୦ ଟି ବିଧାନସଭା ଆସନ ଅଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ କଂଗ୍ରେସ ଜଣେ ଜଣେ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ଏଥି ସହ ତେଲେଙ୍ଗାନାରେ ୩ ମୁସଲମାନ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହିପରି ଭାବରେ, ତିନିଟି ରାଜ୍ୟରୁ ଘୋଷିତ ୨୨୯ ପ୍ରାର୍ଥୀଙ୍କ ତାଲିକାରେ କେବଳ ପାଞ୍ଚ ଜଣ ମୁସଲମାନ ପ୍ରାର୍ଥୀଙ୍କ ନାମ ଅଛି, ଯାହା ପ୍ରାୟ ଦୁଇ ପ୍ରତିଶତ ଅଟେ।

ପ୍ରକାଶ ଯେ, ମଧ୍ୟପ୍ରଦେଶର ସମସ୍ତ ୨୩୦ ବିଧାନସଭା ଆସନରେ ନଭେମ୍ବର ୧୭ ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ। ଏଥି ସହିତ ଛତିଶଗଡର ୯୦ ସିଟ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ ୭ ଏବଂ ୧୭ ନଭେମ୍ବରରେ ଅନୁଷ୍ଠିତ ହେବ। ତେଲେଙ୍ଗାନାର ସମସ୍ତ ୧୧୯ ଆସନ ପାଇଁ ୩୦ ନଭେମ୍ବରରେ ଭୋଟ ଅନୁଷ୍ଠିତ ହେବ। ଡିସେମ୍ବର ୩ରେ ସମସ୍ତ ରାଜ୍ୟର ର୍ନିବାଚନ ଫଳାଫଳ ଘୋଷଣା କରାଯିବ।

Share