Categories: ଜାତୀୟ

୫ ରାଜ୍ୟରେ ବିଧାନସଭା ନିର୍ବାଚନ…

ନୂଆଦିଲ୍ଲୀ, ୮।୧: ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଫେବୃୟାରୀ ୧୦ରେ ନିର୍ବାଚନ ଆରମ୍ଭ ହୋଇ ମାର୍ଚ୍ଚ ୭ରେ ଶେଷ ହେବ।

ନୂଆ କରୋନା ମାର୍ଗଦର୍ଶିକା ପାଳନ କରି ନିର୍ବାଚନ ଅନୁଷ୍ଠିତ କରାଯିବ। କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ନିର୍ବାଚନ କରାଇବା ଅତ୍ୟନ୍ତ ଆହ୍ବାନମୂଳକ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି। ମୋଟ ୫ ରାଜ୍ୟର ୬୯୦ ବିଧାନସଭା ଆସନ ପାଇଁ ୧୮ କୋଟି ୩୪ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ। ସେଥିମଧ୍ୟରେ ଉତ୍ତରପ୍ରଦେଶର ୪୦୩, ପଞ୍ଜାବର ୧୧୭, ଉତ୍ତରାଖଣ୍ଡର ୭୦, ଗୋଆର ୪୦ ଏବଂ ମଣିପୁରର ୬୦ ଆସନ ପାଇଁ ମତଦାନ କରାଯିବ। ନିର୍ବାଚନରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ ବୋଲି ସୁଶୀଲ ଚନ୍ଦ୍ରା କହିଛନ୍ତି। ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିପାରିବେ ବୋଲି ନିର୍ବାଚନ କମିଶନର କହିଛନ୍ତି।

ନିର୍ବାଚନ ପ୍ରଚାର ଭର୍ଚୁଆଲ୍‌ ମାଧ୍ୟମରେ କରାଯିବା ସହିତ କରୋନା ମାର୍ଗଦର୍ଶିକା ପାଳନକୁ କଡ଼ାକଡ଼ି କରାଯିବ। ଜାନୁୟାରୀ ୧୫ ପର୍ଯ୍ୟନ୍ତ କୌଣସି ରାଲିକୁ ଅନୁମତି ପ୍ରଦାନ କରାଯିବ ନାହିଁ। ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ୪୦ ଲକ୍ଷ ଟଙ୍କା ରହିବ। ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୦ ଫେବୃୟାରୀ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୧୪ ଫେବୃୟାରୀରେ ସମ୍ପନ୍ନ ହେବ।

ସେହିପରି ଫେବୃୟାରୀ ୨୦ରେ ତୃତୀୟ ପର୍ଯ୍ୟାୟ, ୨୩ ଫେବୃୟାରୀରେ ଚତୁର୍ଥ, ଫେବୃୟାରୀ ୨୭ରେ ପଞ୍ଚମ, ଷଷ୍ଠ ପର୍ଯ୍ୟାୟ ମାର୍ଚ୍ଚ ୩ରେ ଏବଂ ସପ୍ତମ ପର୍ଯ୍ୟାୟ ମାର୍ଚ୍ଚ ୭ରେ ସମ୍ପନ୍ନ ହେବ। ମଣିପୁରରେ ୨ଟି ପର୍ଯ୍ୟାୟରେ ମତଦାନ କରାଯିବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

 

Share