ଆଜିଠୁ ବିଧାନସଭା

ଭୁବନେଶ୍ୱର,୨୦ା୧୧(ବ୍ୟୁରୋ):କୋଭିଡ୍‌ କଟକଣା ମଧ୍ୟରେ ଶୁକ୍ରବାର ଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ। ଗୃହ ପ୍ରତ୍ୟହ ଦୁଇଟି ପର୍ଯ୍ୟାୟରେ ୪ ଘଣ୍ଟା ଚାଲିବ। ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ପ୍ରଥମ ଦିବସରେ ଜାତୀୟ ସଙ୍ଗୀତ ଗାନ ପରେ ପରଲୋକଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ। ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ଚଳିତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବିଧାନସଭା ମୋଟ ୪୦ ଦିନ ହେବ। ୪୦କାର୍ଯ୍ୟ ଦିବସରୁ ୩୫ଟି ସରକାରୀ ଦିବସ ଥିବା ବେଳେ ୫ ବେସରକାରୀ ଦିବସ ରହିଛି। ନଭେମ୍ବର ୨୬ରୁ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ ହେବ। ୨୯ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ ହେବ। ନଭେମ୍ବର ୩୦ରେ ରାସ ପୂର୍ଣ୍ଣିମା ଓ ଡିସେମ୍ବର ୨୫ରେ ବଡ଼ଦିନ ଲାଗି ବିଧାନସଭା ଅଧିବେଶନ ବନ୍ଦ ରହିବ। ତେବେ ରବିବାର ମଧ୍ୟ ଗୃହ କାର୍ଯ୍ୟ ଚାଲିବ। ତେବେ ଗୃହରେ କୌଣସି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପୂର୍ବରୁ ଘୋଷଣା କରାଯାଇଛି। ଲିଖିତ ପ୍ରଶ୍ନର ଉତ୍ତର ସଦସ୍ୟମାନଙ୍କୁ ଇ-ମେଲ୍‌ ଯୋଗେ ଯୋଗାଇ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୂର୍ବରୁ ଘୋଷଣା କରିଛନ୍ତି।
ଏହି ଅଧିବେଶନରେ ସରକାର ବିଧାନସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ କରିବେ। ଗୃହରେ ୧୦ଟି ବିଲ ଆସିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ବିଧାନସଭା ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ଖବରଦାତାମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ଗୃହକାର୍ଯ୍ୟ ଚାଲିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି। ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ଦୁଇଜଣ ନବ ନିର୍ବାଚିତ ବିଧାୟକ ସ୍ବରୂପ ଦାସ ଏବଂ ବିଜୟ ଶଙ୍କର ଦାସ ଚଳିତ ଅଧିବେଶନରେ ପ୍ରଥମ ଥର ଲାଗି ଯୋଗଦେବେ।
ଏଠାରେ ସୂଚନା ଯୋଗ୍ୟ, ଷୋଡ଼ଶ ବିଧାନସଭାର ପଞ୍ଚମ ଅଧିବେଶନ କୋଭିଡ୍‌ ମହାମାରୀ କଟକଣା ଯୋଗୁ ସୀମିତ ହୋଇଯାଇଛି। ଏହି ଅଧିବେଶନ ମାତ୍ର ୨୦ ଦିନ ହୋଇଥିବା ବେଳେ ଆହୁରି ୪୦ ଦିନ ଗୃହ କାର୍ଯ୍ୟ ବାକି ରହିଥିଲା। ଚଳିତ ଅଧିବେଶନରେ ଅବଶିଷ୍ଟ କାର୍ଯ୍ୟଦିବସକୁ ପୂରଣ କରାଯିବା ନେଇ ବିଜ୍ଞପ୍ତି ପ୍ରକଶିତ ହୋଇଛି। ଗତ ମୌସୁମୀ ଅଧିବେଶନ ୮ ଦିନ ପାଇଁ ବସିଥିଲା। ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଦିନକ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୬ରେ ଶେଷ ହୋଇଥିଲା।

Share