ଆଜିଠୁ ବିଧାନସଭା

ଭୁବନେଶ୍ୱର,୨2ା୯(ଅନିଲ ଦାସ)
ଷୋଡ଼ଶ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ଅଧିବେଶନ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ପରଲୋକଗତ ସଦସ୍ୟମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ। ଏହା ପରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବ। ସେପ୍ଟେମ୍ବର ୨୩ ଓ ୨୪ ତାରିଖ ବିଧାନସଭା ଛୁଟି ରହିବ। ୨୫ରୁ ୨୭ ତାରିଖ ଯାଏ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୨୮ ଓ ୩୦ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଆଲୋଚନା ହେବ। ଅକ୍ଟୋବର ୧ ଓ ୨ ତାରିଖ ରବିବାର ଓ ଗାନ୍ଧୀ ଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ। ଅକ୍ଟୋବର ୩ ତାରିଖରେ ପ୍ରଥମ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାରେ ଗୃହୀତ ହେବ। ଅକ୍ଟୋବର ୪ ତାରିଖରେ ବେସରକାରୀ କାର୍ଯ୍ୟଦିବସ ରହିଛି।
ଚଳିତ ଅଧିବେଶନ ସ୍ବଳ୍ପ ସମୟ ପାଇଁ ବସୁଥିଲେ ମଧ୍ୟ ଏହା ସରଗରମ ହେବ। ଚାଷୀ, ବେକାରି, ଆଇନଶୃଙ୍ଖଳା, ଶିକ୍ଷକ ସମସ୍ୟା, ଦୁର୍ନୀତି ଆଦି ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କ୍‌ୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ତେବେ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ମଧ୍ୟ ଶାସକ ଦଳ ପ୍ରସ୍ତୁତ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ବିଧାନସଭା ପରିସରରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଉଭୟ ବିରୋଧୀ ଓ ଶାସକ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରିବେ।

Share