ଆଜିଠାରୁ ବିଧାନସଭା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଷୋଡ଼ଶ ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଅଧିବେଶନ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିଧାନସଭା ବନ୍ଦ ରହିବ। ତେବେ ରବିବାର ଅକ୍ଟୋବର ୪ ତାରିଖରେ ଅଧିବେଶନ ଚାଲୁ ରହିବ। ଏହି ଅଧିବେଶନରେ ୮ କାର୍ଯ୍ୟ ଦିବସ ରହିଛି। ସେଥିରେ ୭ ସରକାରୀ କାର୍ଯ୍ୟ ଦିବସ ଥିବାବେଳେ ଗୋଟିଏ ଦିନ ବେସରକାରୀ କାର୍ଯ୍ୟ ଦିବସ ରହିଛି। ସ୍ବଳ୍ପ ଦିନ ପାଇଁ ବସୁଥିବା ଏହି ଅଧିବେଶନରେ କୌଣସି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ତେବେ ଗୃହର ସଦସ୍ୟମାନଙ୍କୁ ଅଣତାରକା ପ୍ରଶ୍ନର ଉତ୍ତର ଯୋଗାଇ ଦିଆଯିବ। ଏହି ଅଧିବେଶନରେ ୧୨ଟି ଅଧ୍ୟାଦେଶ ବିଧାନସଭାରେ ଉପସ୍ଥାପନ କରିବାକୁ ସରକାର ଯୋଜନା କରିଛନ୍ତି।
କରୋନା ମହାମାରୀକୁ ଦେଖି ମୌସୁମୀ ଅଧିବେଶନକୁ କାଟଛାଣ୍ଟ କରାଯାଇଛି। ଚଳିତ ବିଧାନସଭା ଅଧିବେଶନ ଦୁଇଦିନ ପୂର୍ବରୁ ବିଧାୟକ ଓ କର୍ମଚାରୀମାନଙ୍କର କୋଭିଡ୍‌ ଆର୍‌ଟିପିସିଆର ପରୀକ୍ଷା କରାଯାଇଛି। ଯେଉଁମାନଙ୍କର କରୋନା ନେଗେଟିଭ ବାହାରିଛି ସେମାନଙ୍କୁ ଗୃହକାର୍ଯ୍ୟରେ ଯୋଗଦେବାକୁ ଅନୁମତି ଦିଆଯିବ। ଯେଉଁମାନଙ୍କର ପଜିଟିଭ ହୋଇଛି ସେମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ପରବର୍ତ୍ତୀ ୫ ଦିନ ପରେ ମଧ୍ୟ ପୁଣିଥରେ କୋଭିଡ ପରୀକ୍ଷା କରାଯିବ। ଆବଶ୍ୟକ ସ୍ଥଳେ ଅଧିବେଶନ ସମୟରେ ଆଣ୍ଟିଜେନ ଟେଷ୍ଟ କରାଯିବ। ଅଧିବେଶନ ଆରମ୍ଭର ଦୁଇଦିନ ପୂର୍ବରୁ ଏବଂ ଅଧିବେଶନ ଶେଷ ହେବା ଯାଏ ବିଧାୟକମାନେ ଗୃହ ସଂଗରୋଧରେ ରହିବେ। ଅନ୍ୟମାନଙ୍କ ସହ ମିଳାମିଶାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବିଧାୟକମାନଙ୍କୁ ଫେସସିଲ୍ଡ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ ଯୋଗାଇ ଦିଆଯିବ।
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଫେବୃୟାରୀ ୧୪ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନକୁ ଅଧାରୁ ବନ୍ଦ କରାଯାଇଥିଲା। ବିଧାନସଭା କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ବଜେଟ ଅଧିବେଶନ ଶେଷ ପର୍ଯ୍ୟାୟକୁ ବିଧାନସଭାରୁ ଲୋକସେବା କନ୍‌ଭେନ୍‌ସନ୍‌ ହଲକୁ ସ୍ଥାନାନ୍ତର କରାଯାଇଥିଲା। ମାର୍ଚ୍ଚ ୩୦ରେ ୪୦ ପ୍ରତିଶତ ସଦସ୍ୟଙ୍କୁ ନେଇ ଅଧଘଣ୍ଟିଆ ଅଧିବେଶନ ବସି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ପାରିତ ହୋଇଥିଲା। ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ଘୋଷଣା କରାଯାଇଥିଲା।

Share