ସରିଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୪ା୧୦(ଅନିଲ ଦାସ)ଷୋଡ଼ଶ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ମଙ୍ଗଳବାର ଶେଷ ହୋଇଛି। ଏହି ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଧାର୍ଯ୍ୟ ହୋଇଥିଲା। ତେବେ ଦିନକ ପୂର୍ବରୁ ଏହି ଅଧିବେଶନ ପରିସମାପ୍ତି ହୋଇଛି । ଏଥିରେ ମୋଟ ୮ଟି କାର୍ଯ୍ୟଦିବସ ରହିଥିବା ବେଳେ ୭ ଦିନ ବୈଠକ ଅନୁଷ୍ଠିତ ହୋଇଛି। ଅଧିବେଶନର ପ୍ରଥମ ଦିବସରେ ପରଲୋକଗତ ସଦସ୍ୟମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୃହରେ ଶୋକପ୍ରସ୍ତାବ ଆଗତ ହେବା ସହିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହୋଇଥିଲା। ଅଧିବେଶନର ଶେଷ ଦିବସରେ ୨୮ହଜାର ୨୦୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାରେ ଗୃହୀତ ହୋଇଛି। ଚଳିତ ଅଧିବେଶନରେ ୧୦ଟି ବିଲ୍‌ ଉପସ୍ଥାପନ କରାଯାଇଥିବା ବେଳେ ମୋଟ ୧୩ଟି ବିଲ୍‌ ପାରିତ ହୋଇଛି। ବହୁ ପ୍ରତୀକ୍ଷିତ ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ବିଲ୍‌-୨୦୨୩କୁ ଗୃହର ଅନୁମୋଦନ ମିଳିଛି। ଏଥିସହିତ ୭୮ଟି ବାର୍ଷିକ ରିପୋର୍ଟ, ୫ଟି କମିଟି ରିପୋର୍ଟ, ୩୮ଟି ପେପର, ୧୦୫୯ଟି ଅଣତାରକା, ୧୪୦୩ଟି ତାରକା, ୩ଟି ଅଧ୍ୟାଦେଶ ଉପସ୍ଥାପନ କରାଯାଇଛି।
ଚଳିତ ଅଧିବେଶନ ସ୍ବଳ୍ପ ସମୟ ପାଇଁ ବସିଥିଲେ ମଧ୍ୟ ଏହା ସରଗରମ ହୋଇଥିଲା। ବିରୋଧୀ ଭାଜପା ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଟାର୍ଗେଟ କରି ଗୃହକୁ ଅଚଳ କରିଥିଲେ। ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ଭାଜପା ସଦସ୍ୟ ମୋହନ ଚରଣ ମାଝି ଏବଂ ମୁକେଶ ମହାଲିଙ୍ଗ ଗୃହରୁ ଅଧିବେଶନ ଶେଷ ଯାଏ ନିଲମ୍ବିତ ହୋଇଥିଲେ। ଅନ୍ୟପକ୍ଷରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ବିଜେଡି ଭାଜପାକୁ କଡ଼ା ଜବାବ ଦେଇଥିଲା। ବିଜେଡି ସଭ୍ୟ ଅରୁଣ ସାହୁଙ୍କ ବିରୋଧୀ ଦଳଙ୍କୁ ମେଣ୍ଟାଲ ଡିଜ୍‌ଅର୍ଡର ମନ୍ତବ୍ୟକୁ ନେଇ ଗୃହରେ ଭାଜପା ସଦସ୍ୟମାନେ ହଙ୍ଗାମା କରିଥିଲେ। ଭାଜପା ସଦସ୍ୟମାନଙ୍କ କଡ଼ା ବିରୋଧ ପରେ ବାଚସ୍ପତି ଉକ୍ତ ଶଦ୍ଦକୁ ବିବରଣୀରୁ ବାଦ୍‌ ଦେଇଥିଲେ। ମୋହନ ଓ ମୁକେଶଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରି ଭାଜପା ସଦସ୍ୟମାନେ ଗୃହକୁ ଅଚଳ କରି ରଖିଥିଲେ ମଧ୍ୟ ବାଚସ୍ପତି ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରି ଦେଇଥିଲେ। ଫଳରେ ଉଭୟ ନିଲମ୍ବିତ ସଦସ୍ୟ ଅଧିବେଶନ ଶେଷ ଯାଏ ଆଉ ଗୃହକୁ ଫେରି ପାରି ନ ଥିଲେ।

Share