ଆଜିଠାରୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ନବନିର୍ବାଚିତ ବିଧାୟକ ନେବେ ଶପଥ

ଭୁବନେଶ୍ୱର, ୧୮।୬(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ମଙ୍ଗଳବାର ଏବଂ ବୁଧବାର ଶପଥ ଗ୍ରହଣ କରିବେ। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଇବେ। ନିୟମାନୁଯାୟୀ, ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ଗ୍ରହଣ କରିବା ପରେ ଯାଇ ଅନ୍ୟ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଶପଥ ନେଇପାରିବେ। ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ ୧୦ଟାରୁ ୫ଟା ଭିତରେ ସମସ୍ତ ବିଧାୟକ ଶପଥ ଗ୍ରହଣ କରିବେ। ତେଣୁ ଏଥିଲାଗି ବିଧାନସଭା ଭିତରେ ଏବଂ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତ ନିର୍ବାଚିତ ବିଧାୟକ ପ୍ରାର୍ଥୀମାନେ ଏହି ଶପଥ ପାଠ କରିସାରିଲେ ହିଁ ବିଧାନସଭାର ସମସ୍ତ କାର୍ଯ୍ୟରେ ସାମିଲ ହୋଇପାରିବେ। ଯେପରି ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାଚସ୍ପତି ନିର୍ବାଚନ, ସେଥିରେ ମଧ୍ୟ ଶପଥ ନେଇସାରିବା ପରେ ବିଧାୟକମାନେ ଭାଗ ନେଇପାରିବେ। ଯେଉଁମାନେ ଏହି ଦୁଇ ଦିନରେ କୌଣସି କାରଣବଶତଃ ଶପଥ ନ ନେଲେ ସେମାନେ ବାଚସ୍ପତି ନିର୍ବାଚନରେ ଭୋଟ୍‌ ଦେଇପାରିବେ ନାହିଁ। ନୂଆ ବାଚସ୍ପତି ଆସିବା ପରେ ତାଙ୍କ ଚାମ୍ବରରେ ଯାଇ ଶପଥ ନେବେ।

Share