Categories: ବାଣିଜ୍ୟ

ବିଧାନସଭାରେ କାମଚଳା ବଜେଟ: ୪ ମାସ ପାଇଁ ୧.୧୮ ଲକ୍ଷ କୋଟି

ଭୁବନେଶ୍ୱର,୯ା୨(ଅନିଲ ଦାସ): ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବ। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୪ ମାସ (ଏପ୍ରିଲରୁ ଜୁଲାଇ) ପାଇଁ ୧ ଲକ୍ଷ ୧୮ ହଜାର କୋଟିର ବଜେଟ ପ୍ରସ୍ତୁତ କରିଛନ୍ତି। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଗୁରୁବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଏହି କାମଚଳା ବଜେଟରେ ଗ୍ରାମୀଣ ବିକାଶ ଉପରେ ରାଜ୍ୟ ସରକାର ଫୋକସ୍‌ କରିଛନ୍ତି। ଏଥିସହିତ ସାମାଜିକ କ୍ଷେତ୍ର, ସ୍ବାସ୍ଥ୍ୟ, କୃଷି, ଶିକ୍ଷା, ଗମନାଗମନ, ପାନୀୟ ଜଳ, ମିଶନ ଶକ୍ତି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଭିତ୍ତିଭୂମି ଉନ୍ନୟନ, ଜନଜାତି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।

ବଜେଟରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ବାବଦକୁ ମୋଟ ବାର୍ଷିକ ଅଟକଳର ୧୦୦ ପ୍ରତିଶତ, ପୁଞ୍ଜିବ୍ୟୟ ପାଇଁ ୫୦ ପ୍ରତିଶତ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ବ୍ୟୟ ଅଟକଳର ୪୦ ପ୍ରତିଶତକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି କାମଚଳା ବଜେଟରେ ପ୍ରଶାସନିକ ଖର୍ଚ୍ଚ ବାବଦରେ ୪୭ ହଜାର ୬୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୬୩ ହଜାର ୪୦୦ କୋଟି, ବିପର୍ଯ୍ୟୟ ପାଣ୍ଠିରୁ ଖର୍ଚ୍ଚ ୩,୯୦୦ କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଖର୍ଚ୍ଚ ବାବଦରେ ୩୦୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଆକଳନ କରିଛନ୍ତି। ଗତ ଆର୍ଥିକ ବର୍ଷ ତୁଳନାରେ ବଜେଟର ଆକାର ୧୧% ବୃଦ୍ଧି କରାଯାଇଛି। ପ୍ରଶାସନିକ ଖର୍ଚ୍ଚ ପାଇଁ ୧ଲକ୍ଷ ୩ ହଜାର ୫ ଶହ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟବରାଦ ୧.୪ଲକ୍ଷ ଟଙ୍କା କରାଯାଇଛି।

୨୦୨୪-୨୫ରେ ରାଜ୍ୟର ଋଣ ବୋଝ ପରିମାଣ ମୋଟ ଜିଡିପି ତୁଳନାରେ ୧୨.୪%ରୁ ବୃଦ୍ଧି ପାଇ ୧୩.୧% ହେବ। ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ୧ଲକ୍ଷ ୨୦ହଜାର ୮୯୬କୋଟି ଟଙ୍କା ଛୁଇଁବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି। ଓଡ଼ିଶା ହେଉଛି ୧୦୦ ବିଲିୟନ ଡଲାରର ଅର୍ଥ ବ୍ୟବସ୍ଥା। ରାଜ୍ୟର ଅଭିବୃଦ୍ଧି ୭.୨୫% ହାରରେ ବୃଦ୍ଧି ହୋଇଛି, ଯାହାକି ଜାତୀୟ ହାର ତୁଳନାରେ ୧% ଅଧିକ। ରାଜ୍ୟର ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ତାରତମ୍ୟ ୩୨%ରୁ ୧୩%କୁ ହ୍ରାସ ପାଇଛି। ୨୦୨୪-୨୫ର ପ୍ରାରମ୍ଭିକ ଆକଳନ ଅନୁସାରେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ୮.୫% ହାରରେ ହେବ। ଏହି ବଜେଟ ରାଜସ୍ବ ବଳକା ହୋଇଥିବାବେଳେ ବିତ୍ତୀୟ ନିଅଣ୍ଟକୁ ୪ ମାସ ପାଇଁ ରାଜ୍ୟର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି)ର ୩ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଇଛି।

ପୂର୍ଣ୍ଣାଙ୍ଗ ବଜେଟର ମୋଟ ୩୭% (୯୩,୪୭୮ କୋଟି ଟଙ୍କା) ସାମାଜିକ କ୍ଷେତ୍ର ଓ ୩୩% (୮୪,୮୦୪ କୋଟି ଟଙ୍କା) ଆର୍ଥିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ରହିଛି। ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା (ଏଫ୍‌ଆରବିଏମ୍‌) ଆଇନ ଅନୁଯାୟୀ ୨୫% ପର୍ଯ୍ୟନ୍ତ ଋଣ କରିବା ବ୍ୟବସ୍ଥା ଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଋଣ ଭାର ଜିଏସ୍‌ଡିପିର ୧୩.୧%ରେ ସୀମିତ ରହିବ ବୋଲି ଆକଳନ କରାଯାଇଛି। ରାଜ୍ୟର ବିତ୍ତୀୟ ନିଅଣ୍ଟ ପରିମାଣକୁ ଜିଏସ୍‌ଡିପିର ୩% ମଧ୍ୟରେ ସୀମିତ ରଖିବା ନେଇ ଆକଳନ କରାଯାଇଛି। ରାଜସ୍ବ ବଳକା ୪% ରହିବା ନେଇ ଅନୁମାନ କରାଯାଇଛି। ୨୦୨୨-୨୩ରେ ରାଜ୍ୟର ମୁଣ୍ଡପିଛା ଆୟ ୧ ଲକ୍ଷ ୪୫ ହଜାର ୨୦୨ଟଙ୍କା ଥିବାବେଳେ ତାହା ୨୦୨୩-୨୪ରେ ୧,୬୧,୪୩୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଏହି ଅବଧି ମଧ୍ୟରେ ରାଜ୍ୟର ମୁଣ୍ଡ ପିଛା ଋଣବୋଝ ୧୯ ହଜାର ୧୦୮ ଟଙ୍କାରୁ ୨୨ ହଜାର ୨୦୮ ଟଙ୍କାକୁ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ରାଜ୍ୟ ଉପରେ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ୯୨ ହଜାର ୭୫୪ କୋଟି ଟଙ୍କାର ଋଣବୋଝ ରହିଛି, ଯାହାକି ଜିଏସଡିପିର ୧୦.୮ %। ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଖୋଲା ବଜାରରୁ ୧୨ ହଜାର ୩୦୦ କୋଟି ଟଙ୍କା ଋଣ କରିଛନ୍ତି।

ରାଜ୍ୟରେ ସାମାଜିକ ଭତ୍ତା ପରିମାଣ ବୃଦ୍ଧି କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ବଜେଟରେ ଏ ବାବଦରେ ୩,୯୮୦କୋଟି ଟଙ୍କା, ଭିନ୍ନକ୍ଷମ କଲ୍ୟାଣ ପାଇଁ ୨୦୭କୋଟି ଟଙ୍କାର ବରାଦ କରିଛନ୍ତି। ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠିକୁ ୨୦୨୩-୨୪ରେ ୪୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ୨୦୨୪-୨୫ରେ ଏହାକୁ ୫୦୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ନୂଆ ସହରର ବିକାଶ ପାଇଁ ୯୧୮କୋଟି, ଅର୍ବାନ ରୋଡ୍‌ ଟ୍ରାନ୍ସପୋର୍ଟ ପାଇଁ ୧୨୦୦କୋଟି, ମେଟ୍ରୋ ଟ୍ରେନ ପାଇଁ ୧୦୦୦ କୋଟି, ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ୭୦୦ କୋଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ୨,୯୯୨ କୋଟି, ଆମ ବସ୍‌ଷ୍ଟାଣ୍ଡ ପାଇଁ ୨୧୦ କୋଟି, ବିଜୁ ସେତୁ ଯୋଜନା ପାଇଁ ୨ ହଜାର କୋଟି, କ୍ଷୁଦ୍ର ଶିଳ୍ପ ପାଇଁ ୫୧୮ କୋଟି, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇଁ ୭୨ କୋଟି, କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୮୫୨କୋଟି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୨୨୬କୋଟି, ଲକ୍ଷ୍ମୀ ବସ୍‌ ଯୋଜନାରେ ୧୧୯୧କୋଟି, ଫିଲ୍ମ ଉନ୍ନୟନ ନିଗମକୁ ୬୦କୋଟି, ବିଜୁ ପକ୍କାଘରରେ ୧୦୦କୋଟି, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସରେ ରାଜ୍ୟର ଅଂଶବାବଦରେ ୪୦୫୧କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସେହିପରି କଲେଜଗୁଡ଼ିକରେ ଚାଲିଥିବା ‘ନୂଆ-ଓ’ କାର୍ଯ୍ୟକ୍ରମକୁ ମଧ୍ୟ ୨୦୨୪-୨୫ରେ ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବଜେଟରେ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଧାନ ପ୍ରକ୍ରିୟାକରଣକୁ ସୁବ୍ୟବସ୍ଥିତ କରିବା ଓ ଚାଷୀଙ୍କଠାରୁ ଧାନ କ୍ରୟ କରିବା ପାଇଁ ୨୦୦୦କୋଟି ଟଙ୍କାର ରିଭଲିଂ ଫଣ୍ଡର ବ୍ୟବସ୍ଥା କରିଛନ୍ତି। ସେହିପରି ୮୫୮ଟି ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତର ପାଇଁ ୩୩୮୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୮,୯୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଜଳସେଚନ ଓ ଜଳ ବ୍ୟବହାର ପାଇଁ ୧୪,୪୬୭ କୋଟି, ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ୧୯,୫୬୯ କୋଟି ବ୍ୟୟବରାଦ କରାଯାଇଛି। ଗତବର୍ଷ ତୁଳନାରେ ବଜେଟରେ ସ୍ବାସ୍ଥ୍ୟକ୍ଷେତ୍ରରେ ୨୪% ବୃଦ୍ଧି କରାଯାଇଛି। ସେହିପରି ବଜେଟରେ ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ୨୭୬୧ କୋଟି, ଶିକ୍ଷା କ୍ଷେତ୍ର ପାଇଁ ୩୩,୬୮୫ କୋଟି, କ୍ରୀଡ଼ା ଓ ଯୁବସେବା କ୍ଷେତ୍ର ପାଇଁ ୧୩୦୫ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୫୦୧୫ କୋଟି, ସାମାଜିକ ସୁରକ୍ଷା ପାଇଁ ୪୬୯୯ କୋଟିି, ଏସ୍‌ସି/ଏସ୍‌ଟିି, ଓବିସି ଓ ସଂଖ୍ୟାଲଘୁଙ୍କ ବିକାଶ ପାଇଁ ୫୮,୭୭୫ କୋଟି, ସହରାଞ୍ଚଳ ବିକାଶ ପାଇଁ ୧୦,୭୮୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ବିଜୁ ପକ୍କାଘର ପାଇଁ ୧୦୦ କୋଟି, ସଡକ, ସେତୁ, ରେଳପଥ ଓ ବିମାନବନ୍ଦର ନିମନ୍ତେ ୨୧,୦୦୪ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ।

ଶକ୍ତି କ୍ଷେତ୍ର ପାଇଁ ୪,୩୫୨ କୋଟି ବ୍ୟୟବରାଦ କରାଯାଇଥିବାବେଳେ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ପାଇଁ ୧୫୫୫ କୋଟି, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପାଇଁ ୧୨୧୯ କୋଟି, ପର୍ଯ୍ୟଟନ ବିକାଶ ପାଇଁ ୮୧୮ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୩୯୦୦ କୋଟି, ଓଡିଆ, ଭାଷା, ସଂସ୍କୃତିର ପ୍ରଚାର ପାଇଁ ୨୨୦ କୋଟି, ଐତିହ୍ୟସ୍ଥଳର ରୂପାନ୍ତରଣ ପାଇଁ ୩୫୦ କୋଟି, ଅବଢ଼ା ଯୋଜନା ପାଇଁ ୧୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ଗଠନର ଶତବାର୍ଷିକ ୨୦୩୬ ସୁଦ୍ଧା ନବୀନ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ସରକାର ସଙ୍କଳ୍ପବଦ୍ଧ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Share