ଆସେଟ୍‌ ମନିଟାଇଜେଶନ ପ୍ଲାନ୍‌ ଘୋଷଣା, ୨୦୨୫ ସୁଦ୍ଧା ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୨୪।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୪ ବର୍ଷିଆ ଆସେଟ୍‌ ମନିଟାଇଜେଶନ ପ୍ଲାନ୍‌ ସମ୍ପର୍କରେ ସୋମବାର ଘୋଷଣା କରିଛନ୍ତି। ନ୍ୟାଶନାଲ ମନିଟାଇଜେଶନ ପାଇପଲାଇନ(ଏନ୍‌ଏମ୍‌ପି) ଅଧୀନରେ ୨୦୨୫ ସୁଦ୍ଧା ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ଚଳିତ ବର୍ଷ ଫେବୃୟାରୀରେ ଆସିଥିବା ବଜେଟରେ ଏ ସମ୍ପର୍କରେ ସୀତାରାମନ ଉଲ୍ଲେଖ କରିଥିଲେ। ରାଷ୍ଟ୍ରାୟତ୍ତ ସମ୍ପତ୍ତି ବିକ୍ରି ଯୋଜନାରେ ଏହା ମଧ୍ୟବର୍ତ୍ତିକାଳୀନ ରୋଡ୍‌ମ୍ୟାପ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଉଛି। ୨୦୨୨-୨୫ ମଧ୍ୟରେ ସରକାରଙ୍କ ବ୍ରାଉନ୍‌ଫିଲ୍ଡ ଭିତ୍ତିଭୂମିଗୁଡ଼ିକୁ ଏଥିରେ ସାମିଲ କରାଯିବ ବୋଲି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି। ଏଥିରେ ରେଲଓ୍ବେ, ବିମାନବନ୍ଦର ଏବଂ କୋଇଲା ଖଣି ଭଳି ୩ ପ୍ରମୁଖ କ୍ଷେତ୍ରର ସମ୍ପତ୍ତି ମନିଟାଇଜେଶନ ଲାଗି ଯୋଜନା ରଖାଯାଇଛି। ଏହା ମଧ୍ୟରେ ୧୫ ରେଳ ଷ୍ଟେଶନ, ୨୫ ବିମାନବନ୍ଦର, ୧୬୦ କୋଇଲା ଖଣି ପ୍ରକଳ୍ପ ମନିଟାଇଜେଶନ ଲାଗି ରଖାଯିବ। ଏହାବାଦ ରାଜପଥ, ଶକ୍ତି ବିତରଣ ଲାଇନ, ଗ୍ୟାସ୍‌ ପାଇପ୍‌ଲାଇନ ମଧ୍ୟ ଉକ୍ତ ଯୋଜନାର ଅଂଶ ଭାବେ କାମ କରିବ।
ଏହି ଅବସରରେ ସୀତାରାମନ କହିଛନ୍ତି, ସମ୍ପତ୍ତିର ମାଲିକାନା ସରକାରଙ୍କ ନିକଟରେ ରହିବ। ପ୍ରସ୍ତାବିତ ପ୍ରକଳ୍ପଗୁଡିକ ମଧ୍ୟରୁ ସରକାର କୌଣସିଟିକୁ ବିକ୍ରି କରିବେ ନାହିଁ। ଅର୍ଥ ବ୍ୟବସ୍ଥାର ସୁଧାର ଲାଗି ଭିତ୍ତିଭୂମି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ। ରାଷ୍ଟ୍ରାୟତ୍ତ ସମ୍ପତ୍ତିଗୁଡିକରେ ଘରୋଇ ନିବେଶକୁ ଉତ୍ସାହିତ କରିବା ଲାଗି ଏଭଳି ଯୋଜନା ହାତକୁ ନିଆଯାଇଛି। ଉକ୍ତ ସୂତ୍ରରୁ ଯାହାବି ଆୟ ଆସିବ ତାହା ଭିତ୍ତିଭୂମି କ୍ଷେତ୍ରର ଉନ୍ନତୀକରଣ ଲାଗି ଖର୍ଚ୍ଚ କରାଯିବ। ବ୍ରାଉନଫିଲ୍ଡ ବା କାର୍ଯ୍ୟକାରୀ ରହିଥିବା ପ୍ରକଳ୍ପଗୁଡିକରେ ଘରୋଇ ନିବେଶ ଆକୃଷ୍ଟ କରାଯିବ। ଯେଉଁ ଆସେଟ ସବୁ ପ୍ରସ୍ତୁତ ହୋଇ ରହିଛି ତା’ର ହିଁ ମନିଟାଇଜ୍‌ କରାଯିବ। ଯେଉଁ ସମ୍ପତ୍ତି ସବୁର ବିତ୍ତୀୟ ବ୍ୟବହାର ହୋଇପାରୁନାହିଁ ଏଗୁଡିକୁ ଆହୁରି ଉନ୍ନତ କରିବା ଲାଗି ଘରୋଇ ନିବେଶକୁ ଉତ୍ସାହିତ କରାଯିବ। ଚଳିତ ଆର୍ଥତ୍କ ବର୍ଷରେ ୮୮ ହଜାର କୋଟି ଟଙ୍କା ସଂଗ୍ରହ ଯୋଜନା ରଖାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।
୨୬,୭୦୦ କି.ମି.ର ରାଜପଥ ଆସେଟ୍‌ ମନିଟାଇଜେଶନ ଦ୍ୱାରା ୧.୬୦ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ରାଜପଥ କ୍ଷେତ୍ରରେ ୧୪ ଶହ କି.ମି. ମନିଟାଇଜେଶନ ଦ୍ୱାରା ୧୭ ଶହ କୋଟି ଟଙ୍କା ଆସିଥିବା କାନ୍ତ କହିଛନ୍ତି। ସେହିଭଳି ଶକ୍ତି କ୍ଷେତ୍ରର ୫ ଆସେଟ୍‌ ମନିଟାଇଜେଶନ ଦ୍ୱାରା ୭,୭୦୦ କୋଟି ଟଙ୍କା ସଂଗ୍ରହ ହୋଇଛି। ୨୮,୬୦୮ ସିକେଟି କି.ମି. ଟ୍ରାନ୍ସମିଶନ ଲାଇନ୍‌ର ମନିଟାଇଜେଶନ ଦ୍ୱାରା ୪୫,୨୦୦ କୋଟି ଏବଂ ଶକ୍ତି ଉତ୍ପାଦନ କ୍ଷେତ୍ରରୁ ୩୯,୮୩୨ କୋଟି ସଂଗ୍ରହ ଲକ୍ଷ୍ୟ ରହିଥିବା କାନ୍ତ ସ୍ପଷ୍ଟ କରିଛନ୍ତି।

Share