ରେଳ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୨ ଲକ୍ଷ ୫୦ ହଜାରର ସହାୟତା

ଭୁବନେଶ୍ବର,୯ା୬(ବ୍ୟୁରୋ): ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟ କରିବା ଲାଗି ବୁଧବାର ନିଖିଳ ଓଡ଼ିଶା ଟ୍ରେଜେରି ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ୧ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସଂଘର ସଭାପତି ସମୀର ରଞ୍ଜନ କାନୁନ୍‌ଗୋ ଏବଂ ସାଧାରଣ ସମ୍ପାଦକ ଶୁଭେନ୍ଦୁ କୁମାର ରାଉତରାୟଙ୍କ ସହିତ ସଂଘର ଅନ୍ୟ କର୍ମକର୍ତ୍ତା ସାକ୍ଷାତକରି ଏହି ସହାୟତା ରାଶି ଚେକ୍‌ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ସେହିପରି ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ୩ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରାଯାଇଛି। ଗୁରୁବାର ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବଙ୍କୁ ଲୋକସେବା ଭବନଠାରେ ସଂଘର ସଭାପତି ମିହିର ଦାସ, ଉପସଭାପତି ନାରାୟଣ ମହାନ୍ତି ଏବଂ କାର୍ଯ୍ୟନିର୍ବାହୀ ସଭ୍ୟ ଅମିୟ କୁମାର ମହାନ୍ତି ସାକ୍ଷାତକରି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଓଡ଼ିଶା ମତ୍ସ୍ୟ ସେବା ସଂଘ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କୁ ସଂଘର ସଭାପତି ଦେବାନନ୍ଦ ଭଞ୍ଜ, ଉପସଭାପତି ସୁବ୍ରତ ଦାଶ ପ୍ରମୁଖ ଏହି ସହାୟତା ରାଶି ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି। ଏହି ସମୟରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଉପସ୍ଥିତ ଥିଲେ।

Share