ସହକାରୀ ବନ ସଂରକ୍ଷକ ସୌମ୍ୟଙ୍କ ମୃତ୍ୟୁ ଘଟଣା: ଖଇରାରେ ପାରଳାଖେମୁଣ୍ଡି ପୋଲିସ ଟିମ୍‌

ଖଇରା,୧୯ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର(୩୧)ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୬ଦିନ ପୂରିଛି। ଅଧିକ ତଦନ୍ତ ପାଇଁ ଡିଆଜି ସତ୍ୟବ୍ରତ ଭୋଇ ଓ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍‌ ମୃତ ସୌମ୍ୟଙ୍କ ଜନ୍ମିତ ଗ୍ରାମ ଖଇରା ଥାନା ଅଧୀନ ବେଗୁନିଆ ଗ୍ରାମରେ ପହଞ୍ଚିଛନ୍ତି। ଉକ୍ତ ଟିମ୍‌ ପ୍ରଥମେ ଖଇରା ଥାନାକୁ ଯାଇ ଖଇରା ପୋଲିସ ସହାୟତାରେ ବେଗୁନିଆ ଗ୍ରାମକୁ ଯାଇ ସୌମ୍ୟଙ୍କ ମା’ ତୁଳସୀ ମହାପାତ୍ର ଓ ମାଇଁ ଉର୍ମିଳା ପଣ୍ଡାଙ୍କୁ ପଚରାଉଚରା କରିଛନ୍ତି। ବିଶେଷକରି ମୃତ୍ୟୁ ପୂର୍ବରୁ ସୌମ୍ୟ ମା ଓ ମାଇଁଙ୍କ ସହ ଫୋନରେ କରିଥିବା କଥାବାର୍ତ୍ତା  ସମ୍ପର୍କରେ ପଚାରି ବୁଝିଛନ୍ତି।