ନୟାଗଡ଼ ଅଫିସ,୪ା୧୨: ନୟାଗଡ଼ ଜିଲା ସହକାରୀ ଯୋଗାଣ ଅଧିକାରୀ ଜୟନ୍ତ ଦାସଙ୍କ ଘରେ ଶନିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୟନ୍ତଙ୍କ ନୟାଗଡ ବ୍ଲକର ବିରୁଡା, ନୟାଗଡ଼, ଓଡ଼ଗାଁ ସମେତ ଏକକାଳୀନ ୬ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି।
ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ନଗଦ ୨ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଯାନ, ୩ଟି ବାଇକ୍ ଏବଂ ସୁନାଗହଣା ଜବତ କରାଯାଇଛି। ଜୟନ୍ତଙ୍କର ନୟାଗଡ଼ ଲେଙ୍କୁଡିପଦାରେ ଗୋଟିଏ ଚାରିମହଲା କୋଠା ରହିଛି। ସେହିପରି ଓଡଗାଁରେ ଦୁଇଟି ଦୁଇ ମହଲା ବିଶିଷ୍ଟ ଘର ଅଛି।
ସୂଚନାଯୋଗ୍ୟ, ନିମ୍ନମାନର ଚାଉଳ ଓ ଗହମ ଯୋଗାଣ ସହ ସରକାରୀ ଅର୍ଥ ହଡ଼ପ, ରାଇସ ମିଲରମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ ଏବଂ ଯୋଗାଣ ବିଭାଗର ଟେଣ୍ଡର ଫିକ୍ସିଂ କରିବା ଭଳି ବହୁ ଅଭିଯୋଗ ତାଙ୍କ ନାଁରେ ହୋଇଥିଲା। ଦୀର୍ଘଦିନରୁ ସେ ଭିଜିଲାନ୍ସ ସ୍କାନରରେ ଥିଲେ।