ଜୀବନର ୪ଟି ଅବସ୍ଥା ବା ସ୍ତର ସମ୍ପର୍କରେ କିଛି ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏଗୁଡ଼ିକ ହେଲା ବ୍ରହ୍ମଚର୍ଯ୍ୟ, ଗ୍ରାର୍ହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସ। ଜୀବନର ଏକ ଶତାବ୍ଦୀକୁ ୪ ଭାଗ କଲେ ପ୍ରତ୍ୟେକ ଅବସ୍ଥାର ମିଆଦ ୨୫ବର୍ଷ ବୋଲି ବିଚାର କରାଯାଏ। ଶତାବ୍ଦୀର ପ୍ରଥମ ୨୫ ବର୍ଷ ହେଉଛି ବିଦ୍ୟାର୍ଜନ, ସଂଯମ ଏବଂ ଦାରିଦ୍ର୍ୟର ସମୟ। ତେବେ ଆମ ଦେଶର ଏକ ଶତାବ୍ଦୀ ଜୀବନକାଳକୁ ବିଚାରକୁ ନେଲେ ପ୍ରାରମ୍ଭିକ ସ୍ତର ଅର୍ଥାତ୍ ୨୫ ବର୍ଷର ଅବଧି ରହିବ ୧୯୪୭ରୁ ୧୯୭୨ ପର୍ଯ୍ୟନ୍ତ। ଏହି ସମୟରେ ଆମେ ଗରିବ ଥିଲୁ ଓ ଆମ ଲାଗି ରାସ୍ତା ଖୋଜୁଥିଲୁ। ଏହା ଥିଲା ସଂଗ୍ରାମ ଓ ପରାଜୟର ସମୟ। ଏତିକିବେଳେ କିଛି ଶିକ୍ଷା କରିବାର ଆଶା ବାନ୍ଧିଥିଲୁ ଓ ଦେଶର ଜନସଂଖ୍ୟା ୩୫ କୋଟିରୁ ବୃଦ୍ଧି ପାଇ ୫୦ କୋଟିରେ ପହଞ୍ଚିଥିଲା। ଆମର ମୁଣ୍ଡପିଛା ଆୟ ପ୍ରଥମ ସ୍ତରର ୨୫ ବର୍ଷର ଆରମ୍ଭ ସମୟ (୧୯୪୭) ବେଳେ ଯାହା ଥିଲା ଶେଷବେଳକୁ ୧୯୭୨ରେ ଠିକ୍ ତାହା ରହିଥିଲା। ୧୯୭୨ରେ ହାରାହାରି ଭାରତୀୟଙ୍କ ମୁଣ୍ଡପିଛା ଆୟ ମାସକୁ ପାଖାପାଖି ୧୦୦୦ ଟଙ୍କା ଥିଲା, ଯାହା ଏକ ଛାତ୍ରବୃତ୍ତି ସହ ସମାନ। ପରେ ୧୯୭୦ ଦଶନ୍ଧିର ପ୍ରଥମାର୍ଦ୍ଧରୁ ଆରମ୍ଭ ହୁଏ ଦ୍ୱିତୀୟ ସ୍ତର। ଏହା ହେଉଛି ଉପତ୍ାଦକିତାର ସମୟ। ଏତିକିବେଳେ ଆମେ ପରିବାର ସଂଖ୍ୟା ପ୍ରସ୍ତୁତ କରିଥିଲୁ, ଯାହା ୪ଟି ସ୍ତର ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆମ ଜନସଂଖ୍ୟା ୧୯୭୨ରେ ୫୦ କୋଟି ଥିଲାବେଳେ ୧୯୯୭ରେ ୧୦୦ କୋଟିରେ ପହଞ୍ଚିଥିଲା। ପରିବାର ସଂଖ୍ୟା ରେକର୍ଡ ସ୍ତରକୁ ବୃଦ୍ଧି ପାଇଥିଲା। ଦେଖାଯାଏ ଯେ, ଏହି ସମୟରେ ଦକ୍ଷିଣ କୋରିଆ, ସିଙ୍ଗାପୁର, ଜାପାନ ଓ ଚାଇନା ସମେତ କେତେକ ଦେଶ ଶୀଘ୍ର ସଫଳତା ଲାଭ କରିଥିଲେ ଓ ବିଶ୍ୱରେ ସେମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇଥିଲା। ଭାରତ ଯେଉଁ ସମୟରେ ସ୍ବାଧୀନତା ପାଇଥିଲା ସେହି ସମୟରେ ନୂଆ ସ୍ବତନ୍ତ୍ରତାର ସ୍ବାଦ ପାଇଥିବା କୋରିଆ, ଚାଇନା, ତାଇଓ୍ବାନ ଏବଂ ଜାପାନ ଏବଂ ୧୯୬୫ରେ ସ୍ବାଧୀନତା ଲାଭ କରିଥିବା ସିଙ୍ଗାପୁର କମ୍ କିମ୍ବା ବେଶି ସଫଳତା ସହିତ ଏକତ୍ର ଗ୍ରାର୍ହସ୍ଥ ଅର୍ଥାତ୍ ତୃତୀୟ ସ୍ତରରେ ପ୍ରବେଶ କରିଥିଲେ। ଜାପାନର ମୁଣ୍ଡପିଛା ଆୟ ୧୯୭୨ ତୁଳନାରେ ୩୦୦୦ ଡଲାରରୁ ବୃଦ୍ଧି ପାଇ ୧୯୯୦ ଦଶନ୍ଧି ମଧ୍ୟଭାଗ ସୁଦ୍ଧା ୪୦,୦୦୦ ଡଲାରରେ ପହଞ୍ଚିଥିଲା। ସେହିଭଳି କୋରିଆର ମୁଣ୍ଡପିଛା ଆୟ ୩୦୦ ଡଲାରରୁ, ଯାହା ସେତେବେଳେ ଭାରତର ସମାନ ଏତିକି ରହିଥିଲା, ତାହା ୧୨,୦୦୦ ଡଲାର ଛୁଇଁଥିଲା। ଏହି ସମୟରେ ଲୋକମାନଙ୍କର (ମୋ ମତରେ ଦେଶଗୁଡ଼ିକର)ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ଯ୍ୟକଳାପ ସାମ୍ନାକୁ ଆସିଥିଲା। କିନ୍ତୁ ଦକ୍ଷିଣ ଏସିଆରେ ଆମେ ବାଂଲାଦେଶ ଓ ପାକିସ୍ତାନର ଭଉଣୀ ଭାଇମାନଙ୍କ ସାଥିରେ ରହିଗଲୁ। ମୁଣ୍ଡପିଛା ଆୟରେ ଏବେ ବାଂଲାଦେଶ ଆମଠାରୁ ସାମାନ୍ୟ ଆଗରେ ଥିବାବେଳେ ପାକିସ୍ତାନ ଅଳ୍ପ ପଛରେ ରହିଛି।
୧୯୯୭ରୁ ୨୦୨୨ ହେଉଛି ଆମର ତୃତୀୟ ତଥା ବାନପ୍ରସ୍ଥ ଅବସ୍ଥା। ଏହି ସମୟରେ ଜାପାନର ମୁଣ୍ଡପିଛା ଆୟ ଆମଠାରୁ ୨୦ଗୁଣ ରହିଥିବାବେଳେ ଚାଇନାର ୬ଗୁଣ ଓ କୋରିଆର ୧୬ଗୁଣ ରହିଛି। ଏକ ଦଶନ୍ଧି ପୂର୍ବେ ଆମ ସହିତ ଥିବା ଭିଏଟ୍ନାମର ମୁଣ୍ଡପିଛା ଆୟ ଆମଠାରୁ ଦୁଇଗୁଣ ହୋଇଯାଇଛି। ଏହାକୁ ଲକ୍ଷ୍ୟ କଲେ ଆମ ପରପିଢ଼ିକୁ ଉଲ୍ଲେଖନୀୟ ଭାବେ ହସ୍ତାନ୍ତର କରିବା ପାଇଁ ଅର୍ଥନୈତିକ କ୍ଷେତ୍ରରେ ଆମେ ଅଧିକ କିଛି କରିଛୁ କି? ଏହି ସମୟରେ ଆମର ପରିବର୍ତ୍ତନ ହୋଇ ନ ଥିଲା ବୋଲି ଆମେ ମନା କରିପାରିବା ନାହିଁ। କେବଳ ପୁରୁଣା ରାଜନୈତିକ ଦଳ ନୂଆ ରାଜନୈତିକ ଦଳକୁ ବାଟ ଦେଖାଇଛି। ଏବେ ଆମେ ୭୫ ବୟସରେ ୪ର୍ଥ ବା ସନ୍ନ୍ୟାସ ଅବସ୍ଥାରେ ପ୍ରବେଶ କରିଛୁ। ଏହି ସ୍ତରରେ ବିଷୟକ ଲୋଭ, ଘୃଣା ଓ ଅବିଶ୍ୱାସରୁ ଆମକୁ ମୁକ୍ତ ହେବାକୁ ପଡ଼ିବ। ଏହି ଯୁଗ ଆଉ ୨୫ ବର୍ଷ ଚାଲିବ ଓ ୨୦୪୭ରେ ଶେଷ ହେବ। ତଥାପି ଆମେ ଘୃଣା ଓ ଅବିଶ୍ୱାସପୂର୍ଣ୍ଣ ସନ୍ନ୍ୟାସ ଅବସ୍ଥାରେ ପ୍ରବେଶ କରିଛୁ। ହେଲେ ସମ୍ବିଧାନରେ ନିବଦ୍ଧ ବହୁବାଦର ସଙ୍କଳ୍ପ ଏବଂ ଧର୍ମ ନିରପେକ୍ଷତାର ଅନ୍ବେଷଣକୁ ଆମେ ତ୍ୟାଗ କରିଛୁ। ଅନ୍ୟ ଭାରତୀୟଙ୍କୁ ଦଣ୍ଡ ଦେବା ହିଁ ଆମ ମନୋଭାବ ହୋଇଯାଇଛି। ଜାତୀୟତାବାଦ ଲାଗି ଆମର ଆକାଂକ୍ଷା ଏବଂ ଉତ୍ସାହ ପଲିଷ୍ଟର ପତାକା ଏବଂ ଉତ୍ତେଜକ ଧ୍ୱନି ଭଳି ଉତ୍ସବଭିତ୍ତିକ ଘଟଣା ମାଧ୍ୟମରେ ପ୍ରକାଶ ପାଇଛି। ମୁଣ୍ଡପିଛା ଆୟରେ ନିରୁତ୍ସାହିତ ସଂଖ୍ୟା ଆମକୁ ଉଦ୍ବୁଦ୍ଧ ବା ଆଗ୍ରହୀ କରୁନାହିଁ। ମୁଣ୍ଡପିଛା ଆୟରେ ବାଂଲାଦେଶଠାରୁ ପଛରେ ରହିବାରେ ଆମେ ନୈରାଶ୍ୟତା ଅନୁଭବ କରୁନାହଁୁ କି ଏହା ଉପରେ ଦୁଃଖ ପ୍ରକାଶ କରୁନାହଁୁ। ଏହି ସମୟକୁ ଅମୃତ ମହୋତ୍ସବ ଭାବେ ପାଳନ କରିବାକୁ ଆମକୁ କୁହାଯାଉଛି।
ତେବେ ଆମ ପୂର୍ବ ୩ଟି ଅବସ୍ଥାରେ ହାସଲ କରିଥିବା ସଫଳତା ଉପରେ ନା ଚଳିତ ସପ୍ତାହରୁ ଆରମ୍ଭ ହେଉଥିବା ଆଗାମୀ ୨୫ବର୍ଷରେ ଆସିବାକୁ ଥିବା ସଫଳତା ଲାଗି ଏହା ପାଲନ କରିବାକୁ କୁହାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଯଦି ପୂର୍ବ ବର୍ଷଗୁଡ଼ିକର ସଫଳତା ପାଇଁ ପାଳନ କରାଯାଉଛି ତା’ହେଲେ ସତ କହିବାକୁ ପଡ଼ିବ। ହେଲେ ଆମ ସଫଳତା ବିଷୟରେ ବିଶ୍ୱକୁ ଦେଖାଇବା ଭଳି ଆମ ପାଖରେ କିଛି ନାହିଁ। ଯଦି ଆଗାମୀ ଅବସ୍ଥା ଲାଗି ଉତ୍ସବ ପାଳନ କରୁଛେ, ତେବେ ଅତୀତ ତୁଳନାରେ କ୍ଷତି କରିବାକୁ ନା ପରିବର୍ତ୍ତନ ଆଣିବାକୁ କ’ଣ କରୁଛେ ସେ ବିଷୟରେ ଆମକୁ କିଛି କୁହାଯାଇନାହିଁ। ଆମକୁ କେବଳ ପାଳନ କରିବାକୁ କୁହାଯାଇଛି ଏବଂ ୨୦୪୭ ପର୍ଯ୍ୟନ୍ତ ଆସିବାକୁ ଥିବା ବର୍ଷଗୁଡ଼ିକ ଭାରତର ଅମର ଯୁଗ ହେବ ବୋଲି ଆଶ୍ୱାସନା ଦିଆଯାଉଛି। ଆମେ ଏହାକୁ ଭିତ୍ତିକରି ଉତ୍ସବ ପାଳନ କରୁଛୁ। ଆମ ବ୍ରହ୍ମଚର୍ଯ୍ୟ ଅବସ୍ଥାରେ ଯଦି ଆମେ ଯୁବସ୍ବଭାବ ପ୍ରଦର୍ଶନ କରିଥାଆନ୍ତେ ତେବେ ଆମ ଅବସର ବା ସନ୍ନ୍ୟାସ ଅବସ୍ଥାରେ ଆମେ ଏମିତି ଏକ ଅନାସକ୍ତ ଭାବ ପ୍ରର୍ଦଶନ କରୁ ନ ଥାନ୍ତେ। ଏହା ଜଣେ ଅଭିଜ୍ଞ ବ୍ୟକ୍ତିଙ୍କର ପ୍ରବୃତ୍ତି ନୁହେଁ କି ବୟସ୍କଙ୍କ ଜ୍ଞାନର ପରିପ୍ରକାଶ ନୁହେଁ। ୧୯୪୭ରୁ ରହିଥିବା ରେକର୍ଡ, ନିକଟ ଅତୀତକୁ ଏବଂ ଆଗାମୀ ୨୫ ବର୍ଷ ଭାରତ ପାଇଁ କ’ଣ ସାଇତିି ରଖିଛି ତାହାକୁ ଦେଖିତ୍ଲେ ଜଣେ ଆଶ୍ଚର୍ଯ୍ୟ ହେବ। ଆମେ ଆଉ ଏକ ସ୍ବାଧୀନତା ଦିବସ ପାଳନ କରୁଥିବାରୁ ଆମକୁ କିଛି ପ୍ରସଙ୍ଗ ଉପରେ ବିଚାର କରିବାକୁ ହେବ।