Categories: ଜାତୀୟ

ଅକ୍ସିଜେନ ଅଭାବରୁ କାହାକୁ ମରିବାକୁ ଦେବୁ ନାହିଁ – କେଜରିଓ୍ବାଲ

ନୂଆଦିଲ୍ଲୀ, ୬ା୫ : ଯଦି କେନ୍ଦ୍ର ସରକାର ଆମକୁ ଆବଶ୍ୟକ ପରିମାଣର (ପ୍ରତ୍ୟେକ ଦିନ ୭୦୦ ଟନ) ଅକ୍ସିଜେନ ଯୋଗାନ୍ତି, ତେବେ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୁଅନ୍ତା ନାହଁି। ଆମେ ୯ରୁ ସାଢ଼େ ୯ ହଜାର ଅକ୍ସିଜେନ ବେଡ୍‌ ପ୍ରସ୍ତୁତ କରନ୍ତୁ। ଯାହା ଫଳରେ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହେବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।

କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ରାଜ୍ୟ ଓ ରାଜଧାନୀ ଭଳି କେନ୍ଦ୍ର ଶାସିତ ଅଞ୍ଚଳକୁ ମେଡିକାଲ ଅକ୍ସିଜେନ ଯୋଗାଇ ପାରୁ ନାହାନ୍ତି। ଯଦ୍ଦ୍ବାରା ଅକ୍ସିଜେନ ଅଭାବରୁ ବିଭିନ୍ନ ରାଜ୍ୟରେ ଲୋକଙ୍କ ମୃତ୍ୟୁ ହେଉଥିବା ଦୃଷ୍ଟାନ୍ତ ରହିଛି। ବହୁ ସଂଖ୍ୟାରେ ଲୋକମାନେ ମେଡିକାଲ ବେଡ୍‌ କିମ୍ବା ଅକ୍ସିଜେନକୁ ଅପେକ୍ଷା କରି ଆମ୍ବୁଲାନ୍ସରେ ପ୍ରାଣ ହରାଉଛନ୍ତି। ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଶବଗୃହ ଓ ଶବଦାହ କେନ୍ଦ୍ର ଉପରେ ପ୍ରବଳ ଚାପ ପଡ଼ୁଛି।

ଦିଲ୍ଲୀ ସରକାରଙ୍କ ଅନୁଯାୟୀ, ଦିଲ୍ଲୀକୁ ଆବଶ୍ୟକ ଥିବା ଅକ୍ସିଜେନ ପରିମାଣର ଏପର୍ଯ୍ୟନ୍ତ ଅଧା ମିଳୁଛି। କିନ୍ତୁ କେନ୍ଦ୍ର ସରକାର ଭାଜପା ଶାସିତ ଉତ୍ତର ପ୍ରଦେଶ ଓ ହରିୟାଣା ଭଳି ପଡ଼ୋଶୀ ରାଜ୍ୟକୁ ପ୍ରାଥମିକତା ଦେଉଛନ୍ତି। ଅକ୍ସିଜେନ ଅଭାବ ଯୋଗୁ ହସ୍ପିଟାଲଗୁଡ଼ିକ କମାଇ ଦେଇଛନ୍ତି ସେମାନଙ୍କ ବେଡ୍‌ ସଂଖ୍ୟା। ମୁଁ ସେମାନଙ୍କୁ ଅନୁରୋଧ କରୁଛି ଦକ୍ଷତାନୁସାରେ ବେଡ୍‌ ସଂଖ୍ୟା ବଢ଼ାଇ ଦିଅନ୍ତୁ। ଆଶା କରୁଛି, ପ୍ରତ୍ୟେକ ଦିନ ଆମକୁ ୭୦୦ ଟନ ଅକ୍ସିଜେନ ମିଳିବ ବୋଲି କେଜରିଓ୍ବାଲ କହିଛନ୍ତି।

Share