ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା। ଜନମୁଖରେ କେବଳ କୋକୁଆ ଶୁଭୁଥିଲା। ପରସ୍ପର ମଧ୍ୟରେ କୋକୁଆ କୋକୁଆ ଶବ୍ଦ ସହ ଗଣ୍ଡଗୋଳ ଏପରି ବ୍ୟାପକ ହେଲା ଯେ ସମ୍ପୂର୍ଣ୍ଣ ଯଦୁ କୁଳ ଧ୍ୱଂସ ହୋଇଗଲା। ଠିକ୍‌ ସେହିପରି ଗତ ସାଧାରଣ ନିର୍ବାଚନରେ ‘ଅସ୍ମିତା’ ଶବ୍ଦଟି ଏତେ ପ୍ରଭାବଶାଳୀ ହେଲା ଯେ ଦୀର୍ଘ ଚବିଶ ବର୍ଷର ଶାସନକୁ ରାଜ୍ୟରେ ପରାଜୟର ସ୍ବାଦ ଦେଇ ଲୋକ ସଭାର ସଭ୍ୟ ସଂଖ୍ୟା ଶୂନ ହୋଇଗଲା। ଯଦି ଅସ୍ମିତାର ସ୍ବରୂପ ଓ ଏହାର ପ୍ରୟୋଗ ସମ୍ପର୍କରେ ପ୍ରଶ୍ନ କରାଯାଏ, ତେବେ ତା’ର ଉତ୍ତର ପାଇଁ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହେବ। କିଛିଦିନ ଧରି ରାଜନୈତିକ ବ୍ୟକ୍ତିଙ୍କ ଠାରୁ ସାମାଜିକ ଗଣମାଧ୍ୟମରେ ଓ ସଭାସମିତିରେ ଏହି ଶବ୍ଦର ଢେର ପ୍ରୟୋଗ ଚାଲିଛି। ପ୍ରତ୍ୟେକ କଥାରେ ସେଇ ଅସ୍ମିତାର ଉଚ୍ଚାରଣ । କିନ୍ତୁ ଅସ୍ମିତା କାହାକୁ କୁହନ୍ତି ତା’ର ତର୍ଜମା ହେଉନାହିଁ। ଅସ୍ମିତାର ଆଭିଧାନିକ ଅର୍ଥ ହେଉଛି ‘ଅହଂବର୍ଜିତ ସ୍ବାଭିମାନ’। ବିବେକାନୁମୋଦିତ ସ୍ବାଭିମାନ ହିଁ ଅସ୍ମିତା। ଏହା ସତ୍ୟ ଯେ ଆମେ ଯଦି ଆମ ରାଜ୍ୟର ଅତୀତଠାରୁ ଆଜି ପର୍ଯ୍ୟନ୍ତ ଅନେକ ଆଲୋଚିତ ଓ ଅନାଲୋଚିତ ତଥ୍ୟକୁ ତର୍ଜମା କରିବା ତେବେ ଏହା ନିଶ୍ଚିତ ହେବ ଯେ ଆମର କଳୁଷିତ ଲୋକଚରିତ୍ର ପାଇଁ ଆମେ ଆମ ଅସ୍ମିତାକୁ ହତ୍ୟା କରିସାରିଛେ କିମ୍ବା ଅସ୍ମିତା ଆମ ପାଇଁ ଅସ୍ତମିତ ହୋଇଯାଇଛି। ସେଇ ଅସ୍ତମିତ ଅସ୍ମିତାର ପୁନଃ ଉଦୟ ା ମୃତ ଅସ୍ମିତାର ପୂର୍ବଜନ୍ମ ପାଇଁ ଆମେ କାୟ ମନ ବାକ୍ୟ ଓ ବିବେକର ପୁନଃ ଜାଗରଣ କରିପାରିଲେ ହୁଏତ ସେଇ ଅସ୍ମିତା କିଛି ମାତ୍ରାରେ ଜାଗରଣ ହୋଇପାରେ।
ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ଓଡ଼ିଶା ହିଁ ପାଇଥିଲା। କିନ୍ତୁ ରାଜ୍ୟର ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ପଡ଼ୋଶୀ ରାଜ୍ୟକୁ ଟେକି ଦିଆଗଲା। ବିଖଣ୍ଡିତ ରାଜ୍ୟ ପାଇବା ସତ୍ତ୍ୱେ ଆମେ ଓଡ଼ିଶାର ଗଜପତି କପିଳେନ୍ଦ୍ର ଦେବ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପ୍ରକାଣ୍ଡ ଭୂଖଣ୍ଡର ଅଧିକାରୀ ଥିଲେ ବୋଲି ଦମ୍ଭୋକ୍ତି ଦେଖାଇବା କେଉଁ ଅସ୍ମିତା? ନଅଙ୍କ ଦୁର୍ଭିକ୍ଷ ବେଳେ ଛତରରେ ନ ଖାଇ ଏବଂ ସରକାରୀ ସହାୟତାକୁ ପ୍ରତ୍ୟାଖ୍ୟାନ କରି ମୃତ୍ୟୁକୁ ଶ୍ରେୟମଣି ଛତରଖିଆ ହୋଇ ନ ଥିବା ଏଇ ଜାତିର ଦାୟାଦ ଯଦି ନିଜ ଆତ୍ମୀୟଙ୍କ ଶବଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ନିଏ ଏବଂ ଏକାଧିକ ରୋଜଗାରକ୍ଷମ ପୁଅଙ୍କ ମାତାପିତା ପୁଅମାନେ ପଚାରୁନାହାନ୍ତି ବୋଲି ସତ୍ୟପାଠ ଦାଖଲ କରି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୁଅନ୍ତି ତେବେ ଆମର ଅସ୍ମିତା କାହାକୁ କହିବା। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ଯଦି ଆମର ଚାଷଜମିକୁ ବିଦେଶୀ କମ୍ପାନୀକୁ ଟେକିଦେଇ ତା’ ଅଧୀନରେ ଚପରାସୀ ପଦବୀରେ ନିଯୁକ୍ତି ପାଇଁ ଆନ୍ଦୋଳନ କରିବା ବୋଧହୁଏ ଆମ ଅସ୍ମିତା। ଅନେକ ଲୋକଙ୍କ ଆତ୍ମବଳିଦାନ ଓ ଦୀର୍ଘଦିନର ସଂଗ୍ରାମ ପରେ ଆମଦେଶ ସ୍ବାଧୀନ ହେଲା। ଯେଉଁମାନେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ କାରାବରଣ କରିଥିଲେ, ସେମାନଙ୍କୁ ସରକାରୀ ପେନ୍‌ସନ ମିଳିଲା। କିନ୍ତୁ ଅନେକ ସଚ୍ଚା ସ୍ବାଧୀନତା ସଂଗ୍ରାମୀ ତାହା ଗ୍ରହଣ କରି ନ ଥିଲେ। ମାତ୍ର ଅନେକ ବ୍ୟକ୍ତି ଜେଲ ଯାଇଥିବା ପ୍ରମାଣ ନ ଥିବା ସତ୍ତ୍ୱେ ପେନ୍‌ସନ ପ୍ରାପ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରଦତ୍ତ ପ୍ରମାଣ ପତ୍ର ଆଧାରରେ ପେନ୍‌ସନ ପାଇଲେ। ଏହାପରେ ସଂଗ୍ରାମରେ ସଂଶ୍ଳିଷ୍ଟ ହୋଇଥିବା ଦାବିକରି କିଛି ବ୍ୟକ୍ତି ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀ ଭତ୍ତା ପାଇଁ ଦାବି ଓ ଆନ୍ଦୋଳନ କରିବା ଏବଂ କିଛି ବ୍ୟକ୍ତି ସ୍ବାଧୀନତା ସଂଗ୍ରାମୀ ଉତ୍ତର ଦାୟାଦ ଭାବରେ ସରକାରୀ ସୁବିଧା ଦାବି କରିବା କ’ଣ ଆମ ଜାତି ବା ରାଜ୍ୟର ଅସ୍ମିତା? ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା ଯାହା କି ବହୁ ମତରେ ଅଗ୍ରାହ୍ୟ ହୋଇଥିଲା। କିନ୍ତୁ ଶାସକ ଦଳର ଦୁଇଜଣ ସଦସ୍ୟଙ୍କ ବିପରୀତ ଆଚରଣରେ ସେ ମର୍ମାହତ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏବଂ ପୁରୀ ତାଳଚେର ପାସେଞ୍ଜର ଗାଡ଼ିର ତତ୍କାଳୀନ ତୃତୀୟ ଶ୍ରେଣୀ ଡବାରେ ନିଜ ଲୁଗାପଟା ନେଇ ଢେଙ୍କାନାଳର ବାଜି ରାଉତ ଛାତ୍ରାବାସକୁ ଚାଲିଗଲେ। ଜୀବଦ୍ଦଶାରେ ସେ ରାଜନୀତିକୁ ଫେରି ନ ଥିଲେ। ଏବେ ଆମେ ଅସ୍ମିତା କାହାକୁ କହିବା?

ଆଖୁ, ଝୋଟ, କପାଚାଷରେ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଥିବା ଆମ ରାଜ୍ୟରେ ଉତ୍ପାଦିତ ହେଉଥିବା ବାରିପଦା ଗଞ୍ଜି, କୋଣାର୍କ ଝୋଟ କଳ, ଓଟିଏମ୍‌ ଲୁଗା, ନୂଆ ପାଟଣାର ଖଣ୍ଡୁଆ ପାଟ, ଖୋର୍ଦ୍ଧା ଲୁଙ୍ଗି ଗାମୁଛା ଏକଦା ଦେଶରେ ପ୍ରସିଦ୍ଧିଲାଭ କରିଥିବା କୋଣାର୍କ ଟିଭି,ଏଚ୍‌ଏମ୍‌ଟି ଘଣ୍ଟା, ଅଏଲ ଓଡ଼ିଶା,ଏକାଧିକ ଚିନିକଳ ବନ୍ଦ କରି ବା କରାଇ ଆମ ରାଜ୍ୟର କୁଶଳୀ କାରିଗରମାନଙ୍କୁ ପଡ଼ୋଶୀ ରାଜ୍ୟକୁ କର୍ମ ସଂସ୍ଥାନ ପାଇଁ ବାଟ ସଫା କରିବା ଏବଂ ଏ ସମସ୍ତ ଜିନିଷ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ବୋଧହୁଏ ଆମର ଅସ୍ମିତା। ଦେଶ ସ୍ବାଧୀନ ପରେ ଆମ ରାଜ୍ୟର ଉତ୍ପାଦିତ ଲୁଣ ପଡ଼ୋଶୀ ରାଜ୍ୟରେ ବ୍ୟବହୃତ ହେଉଥିଲା। ଏହା ଅନେକଙ୍କ ପାଇଁ ଜୀବିକାର୍ଜନର ମାଧ୍ୟମ ମଧ୍ୟ ହୋଇଥିଲା। ଏବେ ସେ ଦେଶୀଲୁଣ ବିଲୁପ୍ତ ହୋଇଯାଇଛି। ଏବେ ଆମରି ଲୁଣ ଆମେ କମ୍ପାନୀ ପ୍ରସ୍ତୁତ ଆୟୋଡିନ ଲୁଣ ଭାବରେ ଉଚ୍ଚ ଦରରେ କିଣିବାକୁ ବାଧ୍ୟ ହେଉଥିବା ବୋଧହୁଏ ଆମର ଅସ୍ମିତା। ଆମ ରାଜ୍ୟରେ ଅନେକ ଚିର ସ୍ମରଣୀୟ ଲେଖକଙ୍କର ଲେଖନୀ ନିଃସୃତ ଚମ୍ପୂ, ଛାନ୍ଦ ରାଗ ରାଗିଣୀରେ ଭରପୂର କାଳଜୟୀ କବିତା ଏବେ ଅବଲୁପ୍ତ। ତା’ର ସ୍ଥାନ ନେଇଛି ରସ ଗନ୍ଧହୀନ ଗୀତିକବିତା ଏବଂ ଲେଖକଙ୍କ ଧନ ବା କ୍ଷମତା ବଳ ଆଧାରରେ ତା’ର ମାନଦଣ୍ଡ ମଧ୍ୟ ଉନ୍ନତ ହୋଇଯାଉଛି। ଏଠାରେ ଆମେ ଅସ୍ମିତା କାହାକୁ କହିବା? ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ବିଳମ୍ବରେ ହେଲେ ବି ସୀକୃତ ହୋଇଛି। କିନ୍ତୁ ପର ପିଢ଼ିଙ୍କ ସୂଚନା ବା ଗବେଷଣା ପାଇଁ ସ୍ମାରକୀ ନିର୍ମାଣ ଏଯାବତ୍‌ ହୋଇପାରି ନାହିଁ। ତେଣୁ ଶେଷରେ ଏତିକି କୁହାଯାଇପାରେ ଯେ ଅସ୍ମିତା ଜାଗରଣ ପରିବର୍ତ୍ତେ ତା’ର ସମାଧି ଉପରେ ଠିଆହୋଇ ଆମର ଅସ୍ମିତା ଅସ୍ମିତା ଚିତ୍କାର କେବଳ ଓଡ଼ିଆଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ଦିଷ୍ଟ ଏଥିରେ ସନ୍ଦେହ ନାହିଁ।

୧୧୩- ଗୁଣ୍ଡିଚା ବିହାର, ପୁରୀ
ମୋ- ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri