ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା ଟିକାକୁ ବିଶ୍ୱବ୍ୟାପୀ ପ୍ରତ୍ୟାହାର କରିବାକୁ ପଦକ୍ଷେପ ନେଇଛି। ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ସ୍ବୀକାର କରିଛି, ସେମାନଙ୍କର କୋଭିଶିଲ୍ଡ ଟିକା ବିରଳ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ। କୋଭିଶିଲ୍ଡ ଟିକା ଅନେକ ବିରଳ କ୍ଷେତ୍ରରେ ରକ୍ତ ଜମାଟ ବାନ୍ଧିବା ଏବଂ ପ୍ଲେଟ୍‌ଲେଟ୍‌ ହ୍ରାସ ହେବାର କାରଣ ମଧ୍ୟ ହୋଇପାରେ। କୋଭିଶିଲ୍ଡ ନାମକ ଭାରତରେ ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଟିକା ହେଉଛି ଆଷ୍ଟ୍ରାଜେନେକାର ଫର୍ମୁଲା।
ଆଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ ସ୍ବୀକାର କରିଛି। ଆଷ୍ଟ୍ରାଜେନେକା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସ୍ବରୂପ ଜନସାଧାରଣଙ୍କ ପ୍ରାଣହାନି ହେଉଥିବା ଅଭିଯୋଗ କରି କମ୍ପାନୀ ବିରୋଧରେ ବ୍ରିଟେନ ଅଦାଲତରେ ଏବେ ୫୧ଟି ମାମଲାର ବିଚାର ଚାଲିଛି। ଏହି ମାମଲାର ଶୁଣାଣି ସମୟରେ କମ୍ପାନୀ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅଭିଯୋଗକୁ ସ୍ବୀକାର କରିଛି ଏବଂ ଜଣାଇଛି ଯେ, ଏହି ଟିକା ଥ୍ରମ୍ବୋସିସ ସହ ଥ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ସୃଷ୍ଟି କରିଥାଏ। ଏହାଦ୍ୱାରା ରକ୍ତ ଜମାଟ ବାନ୍ଧିଥାଏ ଓ ରକ୍ତରେ ପ୍ଲେଟଲେଟ ହ୍ରାସ ପାଇଥାଏ। ଏହାର ଲକ୍ଷଣଗୁଡ଼ିକ ହେଲା ପ୍ରବଳ ମୁଣ୍ଡବିନ୍ଧା, ପେଟରେ ଯନ୍ତ୍ରଣା, ଗୋଡ଼ ଫୁଲିବା, ନିଃଶ୍ୱାସରେ ସମସ୍ୟା ଦେଖାଦେବା ଓ କେତେକ ସ୍ନାୟବିକ ବିଲକ୍ଷଣ।
ଭାରତରେ କୋଭିଶିଲ୍ଡ ଟିକା ଉପତ୍ାଦନର ଲାଇସେନ୍ସଧାରୀ ସଂସ୍ଥା ହେଉଛି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ। ତେବେ ଭାରତ ସରକାର କୌଣସି ବିଶେଷ ବିଚାରବିମର୍ଶ ନ କରି ବା ବିଶେଷଜ୍ଞଙ୍କ ମତାମତ ନ ନେଇ କୋଭିଡ ଟିକାକୁ ତରବରିଆ ଭାବେ ଭାରତରେ ପ୍ରୟୋଗ ପାଇଁ ଅନୁମତି ଦେଇଥିଲେ।

Share