ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ ସ୍ବୀକାର କରିଛି। ଆଷ୍ଟ୍ରାଜେନେକା ସ୍ବୀକାରୋକ୍ତି ପରେ ଭାରତରେ ଏହି ଟିକା ନେଇଥିବା ଜନତାଙ୍କ ମଧ୍ୟରେ ଏବେ ବିଭିନ୍ନ ଆଶଙ୍କା ଉପୁଜିବା ସ୍ବାଭାବିକ। ଆଷ୍ଟ୍ରାଜେନେକା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସ୍ବରୂପ ଜନସାଧାରଣଙ୍କ ପ୍ରାଣହାନି ହେଉଥିବା ଅଭିଯୋଗ କରି କମ୍ପାନୀ ବିରୋଧରେ ବ୍ରିଟେନ ଅଦାଲତରେ ଏବେ ୫୧ଟି ମାମଲାର ବିଚାର ଚାଲିଛି। ଏହି ମାମଲାର ଶୁଣାଣି ସମୟରେ କମ୍ପାନୀ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅଭିଯୋଗକୁ ସ୍ବୀକାର କରିଛି ଏବଂ ଜଣାଇଛି ଯେ, ଏହି ଟିକା ଥ୍ରମ୍ବୋସିସ୍‌ ସହ ଥ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ସୃଷ୍ଟି କରିଥାଏ। ଏହାଦ୍ୱାରା ରକ୍ତ ଜମାଟ ବାନ୍ଧିଥାଏ ଓ ରକ୍ତରେ ପ୍ଲେଟଲେଟ ହ୍ରାସ ପାଇଥାଏ। ଏହାର ଲକ୍ଷଣଗୁଡ଼ିକ ହେଲା ପ୍ରବଳ ମୁଣ୍ଡବିନ୍ଧା, ପେଟରେ ଯନ୍ତ୍ରଣା, ଗୋଡ଼ ଫୁଲିବା, ନିଃଶ୍ୱାସରେ ସମସ୍ୟା ଦେଖାଦେବା ଓ କେତେକ ସ୍ନାୟବିକ ବିଲକ୍ଷଣ। ଏହି ରୋଗର ଚିକିତ୍ସା ବ୍ୟୟବହୁଳ ଓ ସମୟସାପେକ୍ଷ। ଟିକା ଉପତ୍ାଦନର ଗବେଷଣାକାରୀ ସଂସ୍ଥା ହେଲା ଅକ୍ସଫୋର୍ଡ ୟୁନିଭରସିଟି।
ଭାରତରେ କୋଭିଶିଲ୍‌ଡ ଟିକା ଉପତ୍ାଦନର ଲାଇସେନ୍ସଧାରୀ ସଂସ୍ଥା ହେଉଛି ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ। ତେବେ ଭାରତ ସରକାର କୌଣସି ବିଶେଷ ବିଚାରବିମର୍ଶ ନ କରି ବା ବିଶେଷଜ୍ଞଙ୍କ ମତାମତ ନ ନେଇ କୋଭିଡ ଟିକାକୁ ତରବରିଆ ଭାବେ ଭାରତରେ ପ୍ରୟୋଗ ପାଇଁ ଅନୁମତି ଦେଇଥିଲେ। ସେ ସମୟରେ କିଛି ବିଶେଷଜ୍ଞ ମଧ୍ୟ ଏହାର ଗୁଣବତ୍ତା ଓ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଆଶଙ୍କା ପ୍ରକାଶ କରିଥିଲେ। କିନ୍ତୁ ସେମାନଙ୍କ ପାଟି ସରକାର ବନ୍ଦ କରିବାରେ ସଫଳ ହୋଇଥିଲେ। କୋଭିଡ ପାଇଁ କ’ଣ ନିଷ୍ପତ୍ତି ନିଆଯିବ ସେ ସମ୍ପର୍କରେ ସଂସଦର ଜରୁରିକାଳୀନ ଅଧିବେଶନ ଆହୂତ କରାଯାଇ ପାରିଥାନ୍ତା। ସର୍ବଦଳୀୟ ବୈଠକ ଡକାଯାଇ ମତାମତ ଲୋଡ଼ାଯାଇ ପାରିଥାନ୍ତା। ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥାନ୍ତା। କିନ୍ତୁ ତାହା କରାଗଲା ନାହିଁ। ଅର୍ଥାତ ଦେଶରେ ସଂଖ୍ୟାଲଘୁ ଅବସ୍ଥାରେ ଥିବା ବିରୋଧୀ ଦଳ ଭୂମିକାକୁ ଗୌଣ କରିଦିଆଗଲା। ପ୍ରଧାନମନ୍ତ୍ରୀ ଆକସ୍ମିକ ଭାବେ ଦେଶରେ ତାଲାବନ୍ଦୀ ଘୋଷଣା କରିଥିଲେ। ଲକ୍ଷଲକ୍ଷ ଶ୍ରମିକ, ଛାତ୍ରୀଛାତ୍ରୀ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇ ରାଜରାସ୍ତାରେ ପଡ଼ି ପ୍ରାଣ ହରାଇଲେ ତାହା ଦେଶ ବିଭାଜନ ବେଳ ଦୃଶ୍ୟପଟର ଝଲକ ସୃଷ୍ଟି କରିଥିଲା। ଏହାକୁ ଶାସନତନ୍ତ୍ରର ଏକଚ୍ଛତ୍ରବାଦ ବୋଲି କୁହାଯାଇପାରେ।
କୋଭିଡର ପ୍ରଥମ ଲହର ଦେଶରେ ୨୦୨୦ ମସିହାରେ ଦେଖାଦେଲା। ସଂକ୍ରମଣ ୧୦୦୦ ମଧ୍ୟରେ ରହିଥିବାବେଳେ ସମଗ୍ର ଦେଶରେ ତାଲାବନ୍ଦୀ ଘୋଷଣା କରାଗଲା। ଜନତା ଅକଥନୀୟ ଦୁଃଖଦୁର୍ଦ୍ଦଶା ଭୋଗ କଲେ। ଦେଶର ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହେଲା। ତାଲାବନ୍ଦୀ କ୍ରମଶଃ ପ୍ରତ୍ୟାହାର କରାଗଲା। କରୋନା ଉପରେ ଭାରତର ବିଜୟକୁ ସରକାରଙ୍କ ସହ ଅମଲାତନ୍ତ୍ର, ବୈଜ୍ଞାନିକ, ଗବେଷକ ସମ୍ପ୍ରଦାୟ ଗ୍ରହଣ କରିଗଲେ। ଏହାପରେ ଦେଶର ସଂକ୍ରମଣ ୭୦ ହଜାରକୁ ଛୁଇଁଲା। ୨୦୨୧ ଆରମ୍ଭରେ ବିଭିନ୍ନ ରାଜ୍ୟ ନିର୍ବାଚନ ପାଇଁ ବିରାଟ ଜନସମାବେଶ ଆୟୋଜନ କରାଗଲା। ଏହି ସମୟରୁ ହିଁ ଟିକାକରଣ ଆରମ୍ଭ ହେଲା। ନିର୍ବାଚନକୁ ଦୃଷ୍ଟିରେ ରଖି କୁମ୍ଭମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ସରକାର ସୁଯୋଗ ଦେଲେ। ଏଥିରେ ଆଇସିଏମ୍‌ଆର୍‌ ମଧ୍ୟ ନୀରବ ରହିଲା। ସରକାରଙ୍କ ସହ ସ୍ବର ମିଳାଇଥିଲା। ଫଳସ୍ବରୂପ ଦ୍ୱିତୀୟ କୋଭିଡ ଲହର କ୍ଷିପ୍ର ବେଗରେ ଆସିଲା। ଦେଶର ସ୍ଥିତି ଅସମ୍ଭାଳ ହେଲା। କୋଭିଡ ବିଜୟରେ ଭାରତ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ବୋଲି କହୁଥିବା ସରକାର ବିଶ୍ୱ ସମ୍ପ୍ରଦାୟ ଦ୍ୱାରା ସମାଲୋଚନାର ଶିକାର ହେଲେ। ବିଫଳତାକୁ ଢାଙ୍କିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କୋଭିଡକୁ ‘ଈଶ୍ୱରଦତ୍ତ’ ବୋଲି ବର୍ଣ୍ଣନା କଲେ।
କୋଭିଡ ଟିକା ପାଇଁ ଦେଶବାସୀଙ୍କୁ ସରକାର ଏକପ୍ରକାର ବାଧ୍ୟ କଲେ, ଡରେଇଲେ ବା ଧମକେଇଲେ। କୋ-ଉଇନ ପୋର୍ଟାଲ ଖୋଲାଗଲା। କୋଭିଡ ଟିକା ନେଇଥିବା ପ୍ରମାଣପତ୍ର ନ ଦେଖାଇଲେ ବିମାନ ଓ ରେଳ ଯାତ୍ରା ପାଇଁ ଅନୁମତି ପ୍ରଦାନ କରାଗଲା ନାହିଁ। ଶିକ୍ଷାନୁଷ୍ଠାନରେ ପରୀକ୍ଷା ପାଇଁ ସୁଯୋଗ ଦିଆଗଲା ନାହିଁ। ସରକାରୀ କର୍ମଚାରୀ ଟିକା ନ ନେଲେ ସେମାନଙ୍କ ଦରମା ବନ୍ଦ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଗଲା। ଫଳରେ ଲକ୍ଷଣ ବା ରୋଗ ନ ଥାଇ ଜନସାଧାରଣ ଟିକା ନେଲେ। ଅଧିକ ଟିକା ଉପଯୋଗ ହେଲା। ବହୁରାଷ୍ଟ୍ରୀୟ କମ୍ପାନୀ ମୁନାଫା ପାଇଲେ। ତେବେ ଟିକା ବାଧ୍ୟତାମୂଳକ ନୁହେଁ ବୋଲି ଅଦାଲତ କହିବା ପରେ ସରକାର ଏଥିରୁ କ୍ଷାନ୍ତ ରହିଥିଲେ। କିନ୍ତୁ ଏହି ସମୟ ବେଳକୁ ଭାରତରେ ୨୨୦ କୋଟି ଡୋଜ୍‌ ଟିକା ହିତାଧିକାରୀଙ୍କଠାରେ ପ୍ରୟୋଗ କରାଯାଇ ସାରିଥିଲା। ୨୦୨୨-୨୩ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଦେଶର ୯୭% ଜନସାଧାରଣ ପ୍ରଥମ ଡୋଜ୍‌ ଟିକା ନେଇଥିବାବେଳେ ୯୦% ଜନସାଧାରଣ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି। କୋଭିଡ ଟିକା ନେବା ପରେ ମଧ୍ୟ ଜନସାଧାରଣ ପ୍ରାଣ ହରାଇଲେ। ଏହାକୁ ଅନ୍ୟାନ୍ୟ ରୋଗଜନିତ ମୃତ୍ୟୁ ବୋଲି ଦର୍ଶାଇ ସରକାର ଫାଙ୍କି ମାରିଲେ। କୋଭିଡ ମୁକାବିଲା ସଫଳତାର କାହାଣୀ ବଖାଣି ଚାଲିଲେ।
ଭାରତ ପାଇଁ କୋଭିସିଲଡ଼ ଟିକା ପ୍ରସ୍ତୁତ କରିଥିଲେ ସାଇରସ୍‌ ପୁନାୱାଲା ଗ୍ରୁପ୍‌ କଂପାନୀ ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ। ଏହାର ମୁଖ୍ୟଙ୍କୁ ଜେଡ଼୍‌ ପ୍ଲସ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଗଲା। ବିଭିନ୍ନ ଭାବରେ ଏହି ଟିକାକରଣର ଯେଭଳି ବ୍ୟାପକ ପ୍ରଚାର ପ୍ରସାର କରାଗଲା ତାହା ସରକାରଙ୍କ ଏକ ରାଜନୈତିକ ପ୍ରଚାର ପରି ଜଣାପଡ଼ୁଥିଲା। ଦୀପ ଦାନ, ଘଣ୍ଟ ମାଡ଼, ଭାରତୀୟ ବାୟୁସେନା ବିମାନରୁ ଡାକ୍ତରଖାନା ଉପରେ ପୁଷ୍ପ ବୃଷ୍ଟି, କରୋନା ଯୋଦ୍ଧା ଘୋଷଣା ଆଦି ଦ୍ୱାରା ସରକାର ପ୍ରଚାରରେ ମାତିଲେ। ଅର୍ଥାତ ଏହା ଦ୍ୱାରା ଦେଶରେ ଏକ ସମର୍ଥ ସରକାର ରହିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇବାକୁ ଚାହିଁଥିଲେ। କରୋନା ପାଇଁ ସରକାରଙ୍କ ବ୍ୟୟ ବରାଦ ଥିଲା ୩୫ ହଜାର କୋଟି ଟଙ୍କା।
ଏବେ ଆଷ୍ଟ୍ରାଜେନେକାର ସ୍ବୀକାର ପରେ ଭାରତୀୟ ଟିକାଧାରୀଙ୍କ ମନରେ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି ତାହା କିପରି ଦୂର ହୋଇପାରିବ? ଭାରତୀୟଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେବାର ଆଶଙ୍କା ରହିଛି କି ତାହା କିପରି ଦୂର ହୋଇପାରିବ?
ନା କିଛି ସରକାରୀ ବିଶେଷଜ୍ଞ ଓ ସରକାରୀ ସଂସ୍ଥାର ବକ୍ତବ୍ୟକୁ ପୁନର୍ବାର ବିଶ୍ୱାସକୁ ନେଇ ଆମେ ନିଶ୍ଚିନ୍ତରେ ରହିଯିବା? କୋଭିଶିଲ୍‌ଡ ପାର୍ଶ୍ୱ ପ୍ରତିକ୍ରିୟା ଜନିତ ସ୍ବାସ୍ଥ୍ୟ ସମସ୍ୟାରେ ଯଦି କୌଣସି ରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହେବ ତାହା ହେଉଛି ଭାରତବର୍ଷ। ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ସରକାରୀ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଯେଉଁ ଉତ୍ସାହରେ ସରକାର କୋଭିଡ ଟିକାକରଣ କରି ଏହାର ଶ୍ରେୟ ନେବାକୁ ଉଦ୍ୟମ କରିଥିଲେ ସେହି ଦାୟିତ୍ୱବାନ ସରକାର ସମସ୍ତ କୋଭିଡ ଟିକାଧାରୀଙ୍କଠାରେ କି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଲକ୍ଷଣ ରହିଛି ତାହାର ସର୍ବେକ୍ଷଣ କରିବା ଆବଶ୍ୟକ। ସେମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ଆବଶ୍ୟକ। ବିନା ଖର୍ଚ୍ଚରେ ସେମାନଙ୍କ ନିମନ୍ତେ ଚିକିତ୍ସା ସୁବିଧା ଉପଲବ୍‌ଧ କରାଇବା ଆବଶ୍ୟକ। ପାର୍ଶ୍ୱ ପ୍ରତିକ୍ରିୟା ଜନିତ ସ୍ବାସ୍ଥ୍ୟ ସମସ୍ୟା ବ୍ୟୟବହୁଳ। ଭାରତରେ ବହୁ ଗରିବ ଜନସାଧାରଣଙ୍କ ନିକଟରେ ଏହି ଚିକିତ୍ସା ନିମନ୍ତେ ଆବଶ୍ୟକ ସମ୍ବଳ ଉପଲବ୍ଧ ନାହିଁ। ଏହି ଚିକିତ୍ସା ସହ ବହୁ ବିଭାଗ ସଂଶ୍ଳିଷ୍ଟ। ଏଣୁ କୋଭିଡ ଟିକା ନେଇଥିବା ସମସ୍ତ ଜନତାଙ୍କ ପାଇଁ ସରକାର ସ୍ବତନ୍ତ୍ର ସ୍ବାସ୍ଥ୍ୟ ବୀମା କରିବା ଆବଶ୍ୟକ। ଆମେରିକା ସରକାର ମଡେର୍ନା-ଜେନସନ୍‌ ଓ ଫାଇଜର ପ୍ରସ୍ତୁତ ଟିକା ଅନୁମୋଦନ କରିଥିଲେ। ଏହି କମ୍ପାନୀ ବିରୋଧରେ ଅଦ୍ୟାବଧି ଅଭିଯୋଗ ଆସିନାହିଁ। ଟିକା ପ୍ରସ୍ତୁତିରେ ଏହି କମ୍ପାନୀର ଦକ୍ଷତା ଓ ସୁନାମ ରହିଛି। କିନ୍ତୁ ଭାରତ ସରକାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଗବେଷଣାରୁ ତତ୍କାଳ ପ୍ରସ୍ତୁତ ଆଷ୍ଟ୍ରାଜେନେକା କକମ୍ପାନୀର ଟିକା କୋଭିଶିଲଡକୁ କ’ଣ ପାଇଁ ଅନୁମତି ପ୍ରଦାନ କଲେ ତାହା ଏବେ ମଧ୍ୟ ରହସ୍ୟ ହୋଇ ରହିଛି। ବିଶ୍ୱର ତୃତୀୟ ଅର୍ଥନୀତି ହେବାକୁ ଦାବି କରୁଥିବା ଭାରତ ଏହାର ଜନସାଧାରଣଙ୍କୁ ଉତ୍କୃଷ୍ଟମାନର ଟିକା ଯୋଗାଣ କରି ସେମାନଙ୍କୁ ଗବେଷଣାଗାରର ଗିନି ପିଗ୍‌ ହେବାରୁ ବଞ୍ଚିତ କରିପାରିଥାନ୍ତା। କୋଭିଶିଲ୍‌ଡ ପ୍ରୟୋଗ ପାଇଁ ବ୍ରିଟେନ ପରି ଭାରତରେ ମଧ୍ୟ ସୁପ୍ରିମକୋର୍ଟରେ ମାମଲା କରାଯାଇଛି। ଏ ବୋଝ ଏବେ ସରକାରଙ୍କୁ ମୁଣ୍ଡେଇବାକୁ ପଡ଼ିବ।

  • ସୌଭାଗ୍ୟ ସୁନ୍ଦରରାୟ
    ମୋ:୯୪୩୭୨୨୯୨୩୩

Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri