ସ୍ପେସ ୱାକ ସମୟରେ ହଜି ଥିବା ଟୁଲ ବ୍ୟାଗକୁ ଦୁଇ ସପ୍ତାହ ପରେ ପାଇଲେ ମହାକାଶଚାରୀ…

ଓ୍ବାଶିଂଟନ,୧୯।୧୧ : ଇଟାଲୀର ଭର୍ଚୁଆଲ ଟେଲିସ୍କୋପ ପ୍ରୋଜେକ୍ଟ ମହାକାଶରେ ହଜିଯାଇଥିବା ଜଣେ ମହାକାଶଚାରୀଙ୍କ ଟୁଲ କିଟ ପାଇଛି । ଟେଲିସ୍କୋପରେ ସ୍ପେସରେ ଭାସୁଥିବା ଏହି ଟୁଲ ବ୍ୟାଗର ଏକ ଚିତ୍ର ମଧ୍ୟ ପ୍ରକାଶ ପାଇଛି, ଯାହା ଏକ ବିନ୍ଦୁ ପରି ଦେଖାଯାଉଛି । ଯେତେବେଳେ ଦୁଇ ନାସା ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ (ଆଇଏସଏସ) ରେ ଏକ ସ୍ପେସ ୱାକରେ ଅଂଶଗ୍ରହଣ କରୁଥିଲେ ଏହି ଟୁଲ ବ୍ୟାଗ ହଜିଯାଇଥିଲା । ଏହି ଘଟଣା ୧ ନଭେମ୍ବରରେ ଘଟିଥିବା କୁହାଯାଉଛି। ବ୍ୟାଗ ହରାଇଥିବା ମହାକାଶଚାରୀମାନେ ହେଉଛନ୍ତି ଜସ୍ମିନ ମୋଗବେଲି ଏବଂ ଲୋରାଲ ଓ’ହାରା । ସେମାନେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନର ସୋଲାର ପ୍ୟାନେଲରେ କାମ କରିବାକୁ ଏକ ସ୍ପେସ ୱାକ କରିଥିଲେ ।

ଜସ୍ମିନ ମୋଗବେଲି ଏବଂ ଲୋରାଲ ଓ’ହାରା କହିଛନ୍ତି ଯୋଜନା ଅନୁଯାୟୀ ସବୁକିଛି ଚାଲିଥିଲା। ଏହି ସମୟରେ ସେମାନେ ଟୁଲ ବ୍ୟାଗ ଉପରେ ନିଜର ନିୟନ୍ତ୍ରଣ ହରାଇଥିଲେ। ଭର୍ଚୁଆଲ ଟେଲିସ୍କୋପ ପ୍ରୋଜେକ୍ଟ ରିପୋର୍ଟ କରିଛି ସେମାନେ ଦୁଇ ସପ୍ତାହ ପରେ ସେହି ଟୁଲ ବ୍ୟାଗକୁ ଟ୍ରାକ କରିଥିଲେ। “ପ୍ରତିଷ୍ଠାତା ଜିଆନଲୁକା ମାସି ଟୁଲ ବ୍ୟାଗ ଫଟୋ ସହିତ ଏକ ବିବୃତ୍ତିରେ ଲେଖିଛନ୍ତି,” ଉପର ଚିତ୍ରଟି ୨ ସେକେଣ୍ଡର ଏକ୍ସପୋଜରରୁ ଆସିଛି।

ଘଣ୍ଟାପ୍ରତି ୧୭,୫୦୦ ମାଇଲ ବେଗରେ ପୃଥିବୀ ପରିକ୍ରମା କରୁଥିବାର ଟୁଲ ବ୍ୟାଗ ଦେଖିବାକୁ ମିଳିଥିଲା । ମହାକାଶରେ ଏହି ବ୍ୟାଗ ନିଖୋଜ ହେବାର ଏକ ଭିଡିଓ ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା, ଯାହା ସେହି ସମୟରେ ମୋଗବେଲିଙ୍କ ହେଲମେଟରେ ଲାଗିଥିଲା।

 

Share