ଭାରତ ବିଶ୍ୱକପ୍‌ ଚାମ୍ପିୟନ ହେଲେ ୟୁଜର୍ସଙ୍କୁ ୧୦୦ କୋଟି ବାଣ୍ଟିବ ଏହି ଷ୍ଟାଟଅପ୍‌ କମ୍ପାନୀ, ଚମକାଇଲା ଘୋଷଣା

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ ପ୍ରବେଶ କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ସମସ୍ତେ ନିଜ ନିଜ ଢଙ୍ଗରେ ଭାରତୀୟ ଟିମ୍‌ର ଊତ୍ସାହ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଜଣେ ଷ୍ଟାଟଅପ୍‌ କମ୍ପାନୀ ‘ଆଷ୍ଟ୍ରୋଟକ୍‌’ର ପ୍ରତିଷ୍ଠାତା ଏବଂ ସିଇଓ ପୁନିତ ଗୁପ୍ତା ଭାରତୀୟ ଟିମ୍‌ ବିଶ୍ୱକପ୍‌ ଜିତିବାକୁ ନେଇ ବଡ଼ ଘୋଷଣା କରିଛନ୍ତି। ଏଥର ବିଶ୍ୱକପ୍‌ ଜିତିଲେ ତାଙ୍କ କମ୍ପାନୀ ନିଜର ୟୁଜର୍ସ(ବ୍ୟବହାରକାରୀ)ଙ୍କୁ ୧୦୦ କୋଟି ଟଙ୍କା ବାଣ୍ଟିବ ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆରେ ୨୦୧୧ ବିଶ୍ୱକପ୍‌ ବିଜୟର ସ୍ମୃତିକୁ ମନେ ପକାଇ ପୁନିତ କହିଛନ୍ତି, ‘ଗତଥର ଯେବେ ଭାରତ ବିଶ୍ୱକପ୍‌ ଜିତିଥିଲା ସେତେବେଳେ ମୁଁ କଲେଜରେ ପଢ଼ୁଥିଲି। ସେଦିନ ମୋ ଜୀବନର ସବୁଠୁ ଖୁସିର ଦିନରୁ ଗୋଟିଏ ଥିଲା। ସାରା ଦିନ ସାଙ୍ଗମାନଙ୍କ ସହ ମୁଁ ଚିନ୍ତାରେ ରହିଥିଲି। ସମସ୍ତେ ମ୍ୟାଚ୍‌ ଜିତିବା ବେଳେ ବେଶ ଉତ୍ସାହିତ ହୋଇଯାଇଥିଲୁ। ସାଇକେଲରେ ପ୍ରତି ଗଳିକନ୍ଦି ବୁଲି କ୍ରିକେଟ ପ୍ରଶଂସକଙ୍କୁ ଆଲିଙ୍ଗନ କରିଥିଲୁ। ତେବେ ସେତେବେଳେ ବନ୍ଧୁମାନଙ୍କ ସହ ଖୁସି ବାଣ୍ଟିପାରିଥିଲି। ହେଲେ ଏବେ ଆଷ୍ଟ୍ରୋଟକ ବ୍ୟବହାରକାରୀମାନେ ଅଛନ୍ତି ସେମାନଙ୍କ ସହ ମୁଁ ନିଜର ଖୁସି ବାଣ୍ଟିବି। ଯଦି ଭାରତୀୟ ଟିମ୍‌ ଜିତେ ତେବେ ୧୦୦ କୋଟି ଟଙ୍କା ବାଣ୍ଟିବି। ଆସନ୍ତୁ ଦଳର ବିଜୟ ଲାଗି ପ୍ରାର୍ଥନା କରିବା ଏବଂ ତାଙ୍କ ଉତ୍ସାହ ବଢ଼ାଇବା। ’