୧୪ ହଜାର ଫୁଟ ଉପରେ ଜଣାପଡ଼ିଲା ବିମାନର ନାହିଁ ୨ ଝରକା, ତାପରେ ଏପରି ହେଲା…

ଲଣ୍ଡନ,୭।୧୧ : ଲଣ୍ଡନର ଷ୍ଟାନଷ୍ଟେଡ ବିମାନବନ୍ଦରରୁ ଏକ ବିମାନ ଦୁଇଟି ଝରକା ବିନା ଫ୍ଲୋରିଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ କର୍ମଚାରୀମାନେ ବିମାନରେ ଏହି ସମସ୍ୟା ଜାଣିବା ପରେ ଏହାକୁ ସସେକ୍ସ ବିମାନବନ୍ଦରରେ ଅବତରଣ କରିଥିଲେ। ବିମାନଟି ନଅ ଜଣ ଯାତ୍ରୀଙ୍କ ସହ ୧୧ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା।

ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏୟାର ଦୁର୍ଘଟଣା ଅନୁସନ୍ଧାନ ଶାଖା କହିଛି ଏହି ଘଟଣାର ପରିଣାମ ଗୁରୁତର ହୋଇପାରିଥାନ୍ତା। ଅନୁସନ୍ଧାନ ବେଳେ ଜଣାପଡିଛି କ୍ୟାବିନର ଦୁଇଟି ୱିଣ୍ଡୋର ଗ୍ଲାସ ନ ଥିଲା ଏବଂ ଅନ୍ୟ ଦୁଇଟିର କାଚ ଭୁଲ ଭାବେ ଲଗା ହୋଇଥିଲା।

ଏହି ବିମାନଟି ଆମେରିକାରେ ଅବସ୍ଥିତ ବିଳାସପୂର୍ଣ୍ଣ ଭ୍ରମଣ ବ୍ୟବସାୟ ଟିସିଏସ ୱାଲର୍‌ଡ ଟ୍ରାଭେଲ ଦ୍ୱାରା ବ୍ୟବହୃତ ହୋଇଥିଲା । ଏହି ବିମାନଟି ଟାଇଟାନ ଏୟାରୱେଜ ଦ୍ୱାରା ପରିଚାଳିତ ହୋଇଥିଲା।
ବିମାନ ଉଡ଼ାଣ ସମୟରେ ସମସ୍ତ ଯାତ୍ରୀ ବିମାନ ମଝିରେ ବସିଥିଲେ। ଟେକ ଅଫ ଏବଂ ସିଟ ବେଲ୍ଟ ବିଚ୍ଛିନ୍ନ ହେବା ପରେ ଜଣେ କ୍ରୁ ସଦସ୍ୟ ବିମାନର ପଛ ପଟକୁ ଯାଇ ଦେଖିଲେ ଝରକା ଫାଟିଛି। ସେ ତାଙ୍କର ଅନ୍ୟ ସହକର୍ମୀଙ୍କୁ ଜଣାଇଲେ ଏବଂ ପରେ ବିମାନଟିକୁ ବିମାନ ବନ୍ଦରରେ ଅବତରଣ କରିବାକୁ ନିଷ୍ପତ୍ତି ନିଆଗଲା। ଏହି ଘଟଣା ସମୟରେ ବିମାନଟି ୧୪,୫୦୦ ଫୁଟ ଉଚ୍ଚତାରେ ଥିଲା ।

Share