Categories: ଜାତୀୟ

ପଞ୍ଜାବ ନିର୍ବାଚନ: ୯୪ ବର୍ଷରେ ନିର୍ବାଚନ ଲଢୁଥିବା ସବୁଠାରୁ ବୟସ୍କ ବ୍ୟକ୍ତି ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ,୩୧ ।୧: ପଞ୍ଜାବର ଶାସନ ଭାର ପାଞ୍ଚ ପାଞ୍ଚ ଥର ତୁଲାଇଥିବା ଅର୍ଥାତ୍ ୫ ଥର ମୁଖ୍ୟମନ୍ତ୍ରୀ ଓ ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ଦେଶର ସବୁଠାରୁ ବୟସ୍କ ପ୍ରାର୍ଥୀ ତାଲିକାରେ ନିଜର ନାମ ଲେଖାଇଛନ୍ତି । ପଞ୍ଜାବରେ ହେବାକୁ ଥିବା ଅଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ସେ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏବେ ତାଙ୍କୁ ୯୪ ବର୍ଷ ବୟସ ହୋଇଥିବା ବେଳେ ସେ ତାଙ୍କ ହୋମ ଟର୍ଫ ଲାମ୍ବିରୁ ପ୍ରତିଦ୍ୱନ୍ଦିତା କରିବେ ।
ବୟସକୁ ସେ ଏକ ସଂଖ୍ୟା ବୋଲି ଧରି ନେଇଥିବା କୁହାଯାଉଛି । ଏହା ପୂର୍ବରୁ କେରଳ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନ ୨୦୧୬ରେ ୯୨ ବର୍ଷ ବୟସରେ ନିର୍ବାଚନ ଲଢିଥିଲେ ।
ବାଦଲ ପ୍ରଥମେ ତାଙ୍କ ରାଜନୈତିକ ଜୀବନ ଜଣେ ସରପଞ୍ଚ ଭାବେ ଆରମ୍ଭ କରିଥିଲେ । ସେତେବେଳେ ସେ ୧୯୪୭ ମସିହାରେ ଜଣେ କନିଷ୍ଠ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ୧୯୭୦ରେ ସେ ସବୁଠାରୁ କନିଷ୍ଠ ମୁଖ୍ୟମନ୍ତ୍ରୀ ଅର୍ଥାତ୍ ୪୩ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ଆସନ ପାଇଥିଲେ । ଏହାସହ ୨୦୧୨ରେ ସେ ଥିଲେ ସବୁଠାରୁ ବୟସ୍କ ମୁଖ୍ୟମନ୍ତ୍ରୀ । ପଞ୍ଜାବରେ ସେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ୧୯୯୫-୨୦୦୮ ମଧ୍ୟରେ ସେ ଶିରୋମଣି ଅକାଳି ଦଳର ପ୍ରେସିଡେଣ୍ଟ ଥିବା ବେଳେ ଲୋକ ସଭାର ମେମ୍ବର ବି ଥିଲେ । ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ଲାଗି ଫେବୃୟାରୀ ୨୦ରେ ମତଦାନ କରାଯିବା ସହ ଫଳଫଳ ମାର୍ଚ୍ଚ ୧୦ରେ ଆସିବ ।

Share