କାର୍ତ୍ତିକ ଆରମ୍ଭ ହେଉ ହେଉ ପରିବା ଦର ଆକାଶଛୁଆଁ

ଖଣ୍ଡପଡା,୩୦ା୧୦(ଅଜୟ କୁମାର ମହାରଣା): କାର୍ତ୍ତିକ ମାସ ଆରମ୍ଭ ହେଉ ହେଉ ଖଣ୍ଡପଡ଼ା ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଯାଇଛି। ଫଳରେ ବଜାରକୁ ପନିପରିବା କିଣିବାକୁ ଆସୁଥିବା ଖାଉଟିମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ, ବାହାଡ଼ା, ଖଳିସାହି ଓ ଖଣ୍ଡପଡ଼ା ବଜାରରେ ପରିବା ଦୋକାନୀମାନେ ଚଢ଼ାଦରରେ ଗ୍ରାହକମାନଙ୍କୁ ପନିପରିବା ବିକ୍ରି କରୁଥିବା ଅଭିଯୋଗ ହେଉଛି।

ଚଳିତବର୍ଷ ଅନିୟମିତ ବୃଷ୍ଟିପାତ, ଲଗାଣ ବର୍ଷା ସାଙ୍ଗକୁ ଋତୁଚକ୍ର ପରିବର୍ତ୍ତନ ପ୍ରଭାବରେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି । ବଜାରରେ ଏବେ ପିଆଜ ଦର କିଲୋ ପ୍ରତି ୭୦ ଟଙ୍କା ଥିବା ବେଳେ ଖମ୍ବଆଳୁ ୮୦ ଟଙ୍କା, ପାଣି ଆଳୁ ୧୨୦ ଟଙ୍କା, ଜହ୍ନି ୭୦ ଟଙ୍କା, କଲରା ୬୦ ଟଙ୍କା, ଗୁଆଁର ୮୦ ଟଙ୍କା, ପୋଟଳ ୭୦ ଟଙ୍କା, ଫୁଲକୋବି ୮୦ ଟଙ୍କା, କଞ୍ଚା ଲଙ୍କା ୧୪୦ରୁ ୧୫୦ ଟଙ୍କା, କାକୁଡି, ଝୁଲଣ କେଜି ପ୍ରତି ୭୦ ଟଙ୍କା, କଞ୍ଚା କଦଳୀ ଗୋଟାକୁ ୧୦ରୁ ୧୫ ଟଙ୍କା ଓ କୋଶଳା ଶାଗ ବିଡା ୧୦ ଟଙ୍କା, ଛୋଟ କାଙ୍କଡ ୧୫୦ ଟଙ୍କା, ଟମାଟୋ ୪୦ ଟଙ୍କା, ବିନ ୧୦୦ ଟଙ୍କା, ବଡ଼ କାଙ୍କଡ ୯୦ ଟଙ୍କାରେ କିଲୋ ଦରରେ ବିକ୍ରି ହେଉଛି। ସେହିପରି ସାରୁ କେଜି ପ୍ରତି ୬୦ ଟଙ୍କା ଓ ପାଳୁଅ କେଜି ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି।

କାର୍ତ୍ତିକ ମାସରେ ଅଧିକାଂଶ ବ୍ୟକ୍ତି ନିରାମିଶ ଭୋଜନ ଉପରେ ନିର୍ଭର କରୁଥିବା ବେଳେ ପରିବା ଦର ବୃଦ୍ଧି ଖାଉଟି ଓ ହବିଷିଆଳିମାନଙ୍କ ପାଇଁ ମୁଣ୍ଡବଥାର କାରଣ ପାଲଟିଛି। କେତେକ ମୁନାଫା ଖୋର ବ୍ୟବସାୟୀ ମନଇଚ୍ଛା ପନିପରିବା ଦର ବୃଦ୍ଧି କରି ଖାଉଟିଙ୍କୁ ଶୋଷଣ କରୁଥିବା ସାଧାରଣରେ ଅଭିଯୋଗ ହେଉଛି।

Share