ପ୍ରଥମ ଦେଖାରେ ଅନୁଷ୍କାଙ୍କୁ କ୍ଷମା ମାଗିଥିଲେ ବିରାଟ: ଜାଣନ୍ତୁ କାହିଁକି

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ମଧ୍ୟ ହୋଇଥିଲା। ପ୍ରଶଂସକ ଏହି ଯୋଡିକୁ ‘ଭିରୁଷ୍କା’ ଡାକିଥାନ୍ତି। ତେବେ ଅନୁଷ୍କା ଏବଂ ବିରାଟଙ୍କ ମଧ୍ୟରେ ସାକ୍ଷାତ ୨୦୧୩ ମସିହାରେ ଏକ ଶାମ୍ପୁ ବିଜ୍ଞାପନର ଶୁଟିଂ ସେଟ୍‌ରୁ ହୋଇଥିଲା। ଏହି ସମୟରେ ପ୍ରଥମ ଥର ପାଇଁ ବିରାଟ ଅନୁଷ୍କାଙ୍କୁ ଭେଟିଥିଲେ। ଅନୁଷ୍କାଙ୍କୁ ଦେଖିବା ପରେ ସେ ନର୍ଭସ ହୋଇଯାଇଥିଲେ। ଏହି ସମୟରେ ଏକ ମଜାଦାର କଥା ସାମ୍ନାକୁ ଆସିଥିଲା। ବିଜ୍ଞାପନର ଶୁଟିଂ ସେଟ୍‌କୁ ଅନୁଷ୍କା ହାଇ ହିଲ୍‌ ପିନ୍ଧି ଆସିଥିଲେ। ତେଣୁ ସେ ବିରାଟଙ୍କଠାରୁ ବହୁତ ଲମ୍ବା ଦେଖାଯାଉଥିଲେ। ଅନୁଷ୍କାଙ୍କୁ ହାଇ ହିଲ୍‌ରେ ଦେଖି ବିରାଟ ତାଙ୍କୁ କହିଥିଲେ ଯେ, ମୋର ଉଚ୍ଚତା ୬ ଫୁଟ ବୋଲି ଆପଣଙ୍କୁ କେହି କହି ନାହାନ୍ତି। ଆପଣଙ୍କୁ ହାଇ ହିଲ୍‌ ପିନ୍ଧିବାର ନ ଥିଲା। ଏହା ଶୁଣିବା ପରେ ଅନୁଷ୍କା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ କହିଥିଲେ, ଏକ୍ସକ୍ୟୁଜ୍‌ ମି। ପରେ ବିରାଟ ନିଜ ଭୁଲ ଜାଣିପାରି ତାଙ୍କୁ କ୍ଷମା ମାଗିଥିଲେ। ଏକ ସାକ୍ଷାତକାରରେ ବିରାଟ ଏ କଥା କହିଥିଲେ। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ଶେଷରେ ବିବାହ ହୋଇଥିଲା। ୨୦୨୧ରେ ଅନୁଷ୍କା ଏବଂ ବିରାଟ ମା’ ବାପା ହେବାକୁ ଯାଉଛନ୍ତି।