ସାମରିକ ଏୟାରଫିଲ୍ଡ ନିକଟରେ ବିସ୍ଫୋରଣ: ୧୦ ମୃତ

କାବୁଲ,୧।୧:ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ସାମରିକ ଏୟାରଫିଲ୍ଡ ନିକଟରେ ରବିବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ଘଟିବାର କାରଣ ଜଣାପଡ଼ି ନ ଥିବା ଗୃହ ବିଭାଗ ପକ୍ଷରୁ କୁହାଯାଇଛି। କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ପାଖରେ ସାମରିକ ଏୟାରଫିଲ୍ଡ ରହିଛି। ୨୦୨୧ରେ ତାଲିବାନ ଦେଶର ଶାସନ କ୍ଷମତା ଅକ୍ତିଆର କରିବା ପରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାର ପ୍ରତିଶ୍ରୁତି ଦେଇଥିଲା। ଦେଢ଼ବର୍ଷ ମଧ୍ୟରେ ଅନେକ ବିସ୍ଫୋରଣ ଓ ଆକ୍ରମଣ ଘଟିଲାଣି। ଅଧିକାଂଶ ଆକ୍ରମଣ ଇସ୍‌ଲାମିକ୍‌ ଷ୍ଟେଟ୍‌ ଗ୍ରୁପ୍‌ର ସ୍ଥାନୀୟ ସଂଗଠନ ଘଟାଉଥିବା ଦାବି କରିଆସୁଛି। ଗତ ମାସରେ ବନ୍ଧୁକଧାରୀମାନେ କାବୁଲର ଏକ ହୋଟେଲରେ ପ୍ରବେଶ କରି ଗୁଳି ଚଳାଇବାରୁ ୫ ଚାଇନା ବ୍ୟବସାୟୀ ଆହତ ହୋଇଥିଲେ। ତାଲିବାନ କ୍ଷମତାକୁ ଫେରିବା ପରେ ଆକ୍ରମଣରେ ଆଫଗାନ୍‌ ସଂଖ୍ୟାଲଘୁଙ୍କ ସମେତ ଶତାଧିକ ଲୋକ ନିହତ ହେଲେଣି।

Share