ଏମ୍‌କେସିଜିରେ ଲିଫ୍ଟ ଅଚଳ, ରୋଗୀ ହନ୍ତସନ୍ତ

ବ୍ରହ୍ମପୁର,୨୧।୬(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡ଼ିକାଲର ଲିଫ୍ଟ ଅଚଳ ପଡ଼ିଛି। ଯାହାଫଳରେ ଡ଼ାକ୍ତର, କର୍ମଚାରୀ, ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଧିକାଂଶ ସମୟରେ ମେଡ଼ିକାଲରେ ଥିବା ଲିଫ୍ଟରେ ଫସିରହୁଥିବା ନଜିର ରହିଛି। ଗତ କିଛିଦିନ ହେଲା ନିୟମିତ ବ୍ୟବଧାନରେ ସ୍ତ୍ରୀ ରୋଗ ଓ ପ୍ରସୂତି, ଅସ୍ଥିଶଲ୍ୟ, ଭେଷଜ ବିଭାଗକୁ ଯାଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ବହୁ ସମୟ ଧରି ଲିଫ୍ଟରେ ଅଟକି ରହୁଥିବା ଦେଖାଯାଉଛି। ପରେ ତାଙ୍କୁ ଉକ୍ତ ଲିଫ୍ଟରୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ମେଡ଼ିକାଲ ପକ୍ଷରୁ କୁହାଯାଇଛି।
ମେଡ଼ିକାଲକୁ ଆସୁଥିବା ରୋଗୀଙ୍କ ସୁବିଧା ନିମନ୍ତେ ବିଭିନ୍ନ କୋଠାରେ ଏକାଧିକ ଲିଫ୍ଟ ସ୍ଥାପନ ହୋଇଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରତ୍ୟେକ ଦିନ ଲିଫ୍ଟରେ ହଜାର ହଜାର ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସମେତ କର୍ମଚାରୀ ଯା’ ଆସ କରନ୍ତି। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହାକୁ ସ୍ଥାପନ କରାଯାଇଛି ତାହା ଏବେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଓ କର୍ମଚାରୀଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରୁଛି। ଉକ୍ତ ଲିଫ୍ଟ ବ୍ୟବହାର ସମୟରେ ତାହା ବିଭିନ୍ନ ସମୟରେ ଅଚଳ ହୋଇପଡୁଥିବା ଅଭିଯୋଗ ହୋଇଛି। ଏଭଳି ବାରମ୍ବାର ଅଭିଯୋଗ ପରେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରିବା ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଏହାକୁ ସରକାରୀ ବିଦ୍ୟୁତ ବିଭାଗ(ଜିଇଡ଼ି) ବିଭାଗ ମରାମତି କାର୍ଯ୍ୟ ଦାୟିିତ୍ୱ ନେଇଛି। ହେଲେ ମରାମତି ନିମନ୍ତେ ସହରରେ ଠିକ ମେକାନିକ୍‌ ମିଳୁନାହାନ୍ତି। ଲିଫ୍ଟ ଖରାପ ଯୋଗୁ ଶହ ଶହ ରୋଗୀ ଓ ତାଙ୍କ ସମ୍ପର୍କୀୟ ବିଭିନ୍ନ ମହଲାକୁ ସିଡିରେ ଯିବା ପାଇଁ ବାଧ୍ୟ ହୋଇଥାନ୍ତି। ବ୍ରହ୍ମପୁର ବଡ ମେଡିକାଲରେ ଏଭଳି ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏମାନଙ୍କ ନିମନ୍ତେ କାହାର ଦରଦ ନ ଥିବା ମନେ ହେଉଛି। କେବଳ ଚିଠି ଲେଖି ଦେଇ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସାରି ଦେଉଛନ୍ତି। ଏହା ସହ ଅନ୍ୟ ବିଭାଗ ଉପରେ ଦୋଷ ଲଦି ଦେଇ ନିଜେ ନୀରବ ରହିଯାଇଥିବା ଅଭିଯୋଗ ହୋଇଛି। ତେଣୁ ଏଥିରେ ବିଳମ୍ବ ନକରି ତୁରନ୍ତ ଏହା ଉପରେ ପଦେକ୍ଷପ ନେଇ ଏହାର ସମାଧାନ କରିବା ନିମନ୍ତେ ଦାବି ହୋଇଛି।

Share