ନାଜାପୁରର ଅବୋଲି ଜରିଟ୍। ଏବେ ତାଙ୍କୁ ବୟସ ପାଖାପାଖି ୧୯ ବର୍ଷ ହେବ। ହେଲେ ତାଙ୍କୁ ଦେଖିଲେ ଲାଗିବ ସତେକି ୬/୭ ବର୍ଷର କୁନି ଝିଅଟିଏ। ଏହା କୌଣସି ଚମତ୍କାର ନୁହେଁ ବରଂ ତାଙ୍କ ପାଇଁ ଏହା ଏକ ଦୁଃଖର ବିଷୟ। କାରଣ ଅବୋଲି ଛୋଟ ବେଳୁ ହିଁ ରେନାଲ୍ ରିକେଟ୍ସ ନାମକ ଏକ ରେୟାର୍ ହେଲ୍ଥ କଣ୍ଡିସନ୍ରେ ପିଡୀତ। ଏହି ରୋଗ ହେଲେ ଶରୀରରେ ଥିବା ଅସ୍ଥିଗୁଡ଼ିକ ଦୁର୍ବଳ ହୋଇଯାଏ, ଯଦ୍ଦ୍ବାରା ବୟସ ବଢୁଥିଲେ ହେଁ ସେହି ଅନୁଯାୟୀ ଶାରୀରିକ ଗଠନରେ କୌଣସି ଉନ୍ନତି ହୋଇ ନଥାଏ। ଫଳରେ ଏହି ରୋଗରେ ପିଡୀତ ବ୍ୟକ୍ତି କମ୍ ବୟସର ଲାଗିଥାନ୍ତି ସତ କିନ୍ତୁ ଚଲାବୁଲା କରିପାରନ୍ତି ନାହିଁ। ଅବୋଲିଙ୍କ କ୍ଷେତ୍ରରେ ଠିକ୍ ସେୟା ହିଁ ଘଟିଛି। ଏହାଛଡ଼ା ଅବୋଲିଙ୍କର ଜନ୍ମରୁ ହିଁ ମୁତ୍ରାଶୟ ନାହିଁ, ଯାହା ତାଙ୍କ ପାଇଁ ଆଉ ଏକ ବଡ଼ ସମସ୍ୟା। କିନ୍ତୁ ଏସବୁ ସତ୍ତ୍ୱେ ବି ଅବୋଲି ନିଜ ଉପରୁ ଆଦୌ ଭରସା ତୁଟାଇ ନାହାଁନ୍ତି। ଗୀତ ଗାଇବା ଓ ଅଭିନୟ ପ୍ରତି ତାଙ୍କର ରହିଛି ଖୁବ୍ ଶ୍ରଦ୍ଧା। ସେ ଏହାକୁ ନେଇ କ୍ୟାରିୟର୍ କରିବାକୁ ମଧ୍ୟ ସ୍ବପ୍ନ ଦେଖନ୍ତି। ଆଉ ଝିଅର ଏହି ସ୍ବପ୍ନକୁ ପୂରଣ କରିବାକୁ ତାଙ୍କ ମା’ବାପା ମଧ୍ୟ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଆସୁଛନ୍ତି। ସେଥିପାଇଁ ଝିଅକୁ ସୁନ୍ଦର ଭାବେ ସଜାଇ ତା’ର ଫଟୋ ଉଠାଇବା ସହ ତା’ ଫଟୋକୁ ସୋସିଆଲ୍ ମିଡିଆରେ ସେୟାର୍ ମଧ୍ୟ କରୁଛନ୍ତି। ସେହିପରି ଗୀତ ପାଇଁ ତାଙ୍କୁ ବିଭିନ୍ନ ପ୍ରୋଗ୍ରାମ୍ରେ ସାମିଲ କରିବାକୁ ମଧ୍ୟ ସାଙ୍ଗରେ ନେଇକି ଯାଉଛନ୍ତି।